ସଂଚାର ବ୍ୟୁରୋ: ଆଜିଠାରୁ ବସିବ ପଶ୍ଚିମବଙ୍ଗ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ। ଦୋଷୀ ସାବ୍ଯସ୍ତ ଦୁଷ୍କର୍ମକାରୀଙ୍କୁ ମୃତ୍ଯୁଦଣ୍ଡ ଦେବା ସଂକ୍ରାନ୍ତ ଏକ ବିଲ୍ ବିଧାନସଭାରେ ଆଗତ ହେବ। ଆରଜି କର ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ଘଟଣା ପରେ ଏହି ବିଲ୍ ଆଣିବା ଲାଗି ରାଜ୍ଯ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏହି ବିଲ ସମ୍ପର୍କରେ ଆଲୋଚନା ପରେ ଆସନ୍ତାକାଲି ବିଲକୁ ପାସ୍ କରାଯିବ ବୋଲି କହିଛନ୍ତି ବାଚସ୍ପତି ବିମାନ ବାନାର୍ଜୀ। ପୂର୍ବରୁ ରାଜ୍ଯ ବିଧାନସଭାରେ ଏହି ଧରଣର ବିଲ୍ ଆଣିବା ଲାଗି କହିଥିଲେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତା ୫ରୁ ବସିବ ବିଧାନସଭାର ବର୍ଷାକାଳୀନ ଅଧିବେଶନ। ଗତକାଲି ଦୁଷ୍କର୍ମକାରୀଙ୍କୁ ମୃତ୍ଯୁଦଣ୍ଡ ସଂକ୍ରାନ୍ତ ଆଇନ ଆଣିବା ଦାବିରେ ପଶ୍ଚିମବଙ୍ଗରେ ଆନ୍ଦୋଳନ କରିଥିଲା ତୃଣମୂଳ କଂଗ୍ରେସ। ଶହ ଶହ କର୍ମୀ ବ୍ଯାନର ଓ ପ୍ଲାକାର୍ଡ ଧରି କରିଥିଲେ ବିକ୍ଷୋଭ। ଦୀର୍ଘ ୨୨ ଦିନ ଧରି ରାଜ୍ଯରେ ଆନ୍ଦୋଳନ ଜାରି ରହିଥିବା ସତ୍ତ୍ବେ ତାହା ଥମିବାର ନାଁ ନେଉନାହିଁ।