ସଂଚାର ବ୍ୟୁରୋ: ବିହାରରେ ନୂଆ ଇତିହାସ। ଦଶମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର। ପାଟନା ଗାନ୍ଧୀ ମଇଦାନରେ ହେବାକୁ ଥିବା ଶପଥ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରା ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ। ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ବି ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପାଟନାରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କୁ ବିମାନ ବନ୍ଦରରେ କରାଯାଇଥିଲା ଭବ୍ୟ ସ୍ବାଗତ। ଗତକାଲି ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କୁ ଭେଟି ଏନଡିଏ ନେତା ଦେଇଥିଲେ ସମର୍ଥନ ପତ୍ର। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏର ୨୦୨ ସଦସ୍ୟ ରହିଛନ୍ତି। ବିଜେପି ସର୍ବାଧିକ ୮୯ ଆସନ ପାଇଥିବାବେଳେ ଜେଡିୟୁ ୮୫, ଏଲଜେପି୍(ଆର) ୧୯, ହାମ ୫ ଓ ଆରଏଲଏମ ୪ ଆସନ ହାସଲ କରିଥିଲେ। ନବଗଠିତ ମନ୍ତ୍ରିମଣ୍ଡଳରେ କିଛି ନୂଆ ମୁହଁ ସାମିଲ ହେବେ ବୋଲି ଜଣାଯାଇଛି।
ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ। ପୁଣିଥରେ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ସେହିପରି ବିଜୟ ସିହ୍ନାଙ୍କୁ ବିଧାୟକ ଦଳ ଉପନେତା ଭାବେ ନିର୍ବାଚିତ କରାଯାଇଥିଲା। ବିହାର ତାରାପୁର ଆସନରୁ ବିଜୟୀ ହୋଇଛନ୍ତି ସମ୍ରାଟ। ମନ୍ତ୍ରୀ ଭାବେ ବହୁ ବିଭାଗ ସମ୍ଭାଳିଛନ୍ତି ସମ୍ରାଟ ଚୌଧୁରୀ। ଗତ ୨୦୨୧ ଉପନିର୍ବାଚନରେ ବିଜୟୀ ହୋଇଥିଲେ ସମ୍ରାଟ। ଲଖିସରାଇ ଆସନରୁ ବିଜୟୀ ହୋଇଛନ୍ତି ବିଜୟ କୁମାର ସିହ୍ନା। ସେ ଲଖିସରାଇରୁ ପଞ୍ଚମ ଥର ଲାଗି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

