ସଂଚାର ବ୍ୟୁରୋ: ଆସନ୍ତା ୧୯ ତାରିଖରୁ ତିନିଦିନ ବ୍ୟାପି ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହା ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ଏହି ଅବସରରେ ତିନି ଠାକୁର ଶ୍ବେତବସ୍ତ୍ର ପରିଧାନ କରିବେ । ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ । ପୂଜାପଣ୍ଡା ମାନେ ପିଣ୍ଡଦାନ କରିବେ । ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ ।ଏନେଇ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ଜାଳିବାର ଅୟୋଜନ କରାଯାଇଛି । ଏହି ସଂଗଠନ ସହ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ, ଛତିଶା ନିଯୋଗ ,ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଘରେ,ନିଜ ନିଜ ସାହିରେ ଥିବା ମନ୍ଦିରରେ ତଥା ବଡ଼ଦାଣ୍ଡରେ ଦୀପ ଜଳାଇ ସଂସାରର ମଙ୍ଗଳ କାମନା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରାଯାଇଛି ।

