ସଂଚାର ବ୍ୟୁରୋ: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ। ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ସାର୍ବଜନୀନ କ୍ରୀଡ଼ା କମ୍ପ୍ଲେକ୍ସ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ଏବଂ ଡିପୋଗୁଡ଼ିରୁ ବୁଲା କୁକୁର ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୁକୁର କାମୁଡ଼ା ଘଟଣାରେ ଚିନ୍ତାଜନକ ବୃଦ୍ଧି ଘଟଣାକୁ ସ୍ଵୀକାର କରିଛନ୍ତି ସୁପ୍ରିମକୋର୍ଟ। ସମସ୍ତ ସରକାରୀ ପ୍ରତିଷ୍ଠାନ ଏବଂ ପରିବହନ କେନ୍ଦ୍ରଗୁଡ଼ିକୁ ବାଡ଼ ଦେବା ଏବଂ ବୁଲା କୁକୁରଙ୍କୁ ସେଠାରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ସାର୍ବଜନୀନ କ୍ରୀଡ଼ା କମ୍ପ୍ଲେକ୍ସ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ଏବଂ ଡିପୋଗୁଡ଼ିକୁ ବୁଲା କୁକୁରଙ୍କ ପ୍ରବେଶକୁ ରୋକିବା ପାଇଁ ଉପଯୁକ୍ତ ଭାବରେ ବାଡ଼ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କ ଏକ ସ୍ୱତନ୍ତ୍ର ତିନି ଜଣିଆ ଖଣ୍ଡପୀଠ ବୁଲା କୁକୁର ପ୍ରସଙ୍ଗରେ ନିଜଆଡ଼ୁ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ଅନୁଯାୟୀ ଟୀକାକରଣ ଏବଂ ବନ୍ଧ୍ୟାକରଣ ପରେ ଏପରି ସ୍ଥାନରୁ ବୁଲା କୁକୁରମାନଙ୍କୁ ଧରି ନିର୍ଦ୍ଦିଷ୍ଟ କୁକୁର ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ସ୍ଥାନୀୟ ପ୍ରଶାସନର ଦାୟିତ୍ଵ ହେବା ଦରକାର। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ପଶୁମାନଙ୍କୁ ଥରେ ଉଠାଇ ନେବା ପରେ ସେମାନଙ୍କୁ ପୁଣି ସେହି ଅଞ୍ଚଳରେ ଛାଡ଼ିବା ଉଚିତ୍ ନୁହେଁ। ନିର୍ଦ୍ଦେଶନାମା ଅନୁଯାୟୀ, ସର୍ବୋଚ୍ଚ ଅଦାଲତ ସାର୍ବଜନୀନ ରାସ୍ତା, ରାଜପଥ ଏବଂ ଏକ୍ସପ୍ରେସୱେରେ ବୁଲା ଗୋରୁ ଏବଂ ପଶୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ପଶୁମାନଙ୍କୁ ଗୋଶାଳା କିମ୍ବା ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯିବା ଉଚିତ।

