ସଂଚାର ବ୍ୟୁରୋ: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସୁପରମୁନ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣମୀରେ ଦୃଶ୍ୟମାନ ଦେବ ଏହି ସୁପରମୁନ। ୨୦୨୫ ମସିହାର ହେବ ଏହା ଦ୍ଵିତୀୟ ସୁପରମୁନ। ସୁପରମୁନ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ ସୁପରମୁନ ଶବ୍ଦ ଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି। ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲିଥାଏ। ପ୍ରାୟ ୨୯ ଦିନରେ ଥରେ ଗୋଟିଏ ପୂର୍ଣ୍ଣମୀ ପଡିଥାଏ। ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ। ସବୁଠାରୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ। ଜ୍ୟୋତିଷ ରିଚାର୍ଡ ନଲ୍ଙ୍କ ପରିଭାଷାରେ ଚନ୍ଦ୍ର ପୃଥିବୀଠାରୁ ସାଧାରଣ ଦୂରତାର ୧୦ ପ୍ରତିଶତ କିମ୍ବା ତା’ଠାରୁ କମ ଦୂରତା ରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ। ତାହାକୁ ଆମେ ସୁପରମୁନ କହିଥାଉ। ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ। ତା’ହେଲେ ସେହି ଚନ୍ଦ୍ରକୁ ସୁପରମୁନ କୁହାଯାଏ। ଏହି ସମୟରେ ତାହା ଆମକୁ ବଡ ଓ ଉଜ୍ଜଳ ଦେଖାଯାଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ ରୁ ୪ ଥର ଘଟିଥାଏ। ୨୦୨୫ ମସିହାରେ ୩ ଥର ଦେଖିବାକୁ ମିଳିବ ସୁପରମୁନ। ଦ୍ଵିତୀୟ ସୁପରମୁନ ଆସନ୍ତାକାଲି ଏବଂ ଶେଷ ତଥା ତୃତୀୟ ସୁପରମୁନ ଡିସେମ୍ବର 4 ତାରିଖରେ ଦେଖାଯିବ। ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭% ବଡ ସହ ୧୫% ଉଜ୍ଜଳ ଦେଖାଯିବ। ୨୦୨୬ ମସିହାରେ ଜାନୁଆରି ୩, ନଭେମ୍ବର ୨୪ ଓ ଡିସେମ୍ବର ୨୩ ତାରିଖରେ ୩ ଟି ସୁପରମୁନ ଦେଖାଯିବ।ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ। ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘ ମୁକ୍ତ ଥିଲେ ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ। ସୁପରମୁନ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଲୋକଙ୍କ ଉପରେ ପଡେନାହିଁ।…

