ଭାରତୀୟ କ୍ରିକେଟରେ ସବୁ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା । ଭାରତୀୟ ଟେଷ୍ଟ କ୍ରିକେଟର ଅନ୍ୟତମ ଭରସାଯୋଗ୍ୟ ନମ୍ବର ୩ ବ୍ୟାଟର, ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ଡାହାଣ ହାତି ବ୍ୟାଟର ପୂଜାରା ୨୦୧୦ରେ, ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହାପରେ ସେ ୧୦୩ ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୪୩. ୬୦ ହାରରେ ୭୧୯୫ ରନ୍ କରିଛନ୍ତି । ଏଥିରେ ୧୯ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ରହିଛି ।
ଅନ୍ୟପଟେ ସୋସିଆଲ ମିଡିଆ ’X’ରେ ପୂଜାରା ଲେଖିଛନ୍ତି ଯେ, ଭାରତୀୟ ଜର୍ସି ପିନ୍ଧି, ଜାତୀୟ ସଙ୍ଗୀତ ଗାଇ ଏବଂ ପ୍ରତ୍ୟେକ ଥର ପଡ଼ିଆକୁ ଓହ୍ଲାଇ ସର୍ବୋତ୍ତମ ଚେଷ୍ଟା କରିବା ଅନୁଭୂତିକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । କିନ୍ତୁ ଦିନେ ନା ଦିନେ ସମସ୍ତ ଭଲ ଜିନିଷର ଅନ୍ତ ହେବା ଆବଶ୍ୟକ । ଅତ୍ୟନ୍ତ କୃତଜ୍ଞତାର ସହିତ ସମସ୍ତ ପ୍ରକାରର ଭାରତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି ବୋଲି ଲେଖିଛନ୍ତି ଚେତେଶ୍ୱର ପୂଜାରା ।

