ସଂଚାର ବ୍ୟୁରୋ: ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ପରେ ପରମ୍ପରା ଅନୁସାରେ ମଦନମୋହନ, ରାମ କୃଷ୍ଣ ପାଲିଙ୍କିରେ ବିଜେ ହେବା ସହ ଲବଣିଖିଆ ନୀତି ସାରି ମାର୍କଣ୍ଡେୟ ପୁଷ୍କରିଣୀ ଠାରେ କାଳୀୟ ଦଳନ ନୀତି ସମ୍ପାଦନ କରିଥିଲେ।ଏହି ସ୍ୱତନ୍ତ୍ର ପରମ୍ପରାରେ ମହାଭୋଇ ସେବକଙ୍କ ଠାରୁ ଲବଣି ଖାଇବାର ନିଆରା ବିଧି ସହ କାଳୀୟ ଦଳନ ନୀତି ଦର୍ଶନ ନେଇ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଶ୍ରୀକ୍ଷେତ୍ରରେ ଜନ୍ମାଷ୍ଟମୀ ପର ଠାରୁ ଏବେ ଚାଲିଛି କୃଷ୍ଣ ଲୀଳା।ଦଶମୀ ତିଥିରେବଣଭୋଜି ବେଶ, କୋଳିବିକା ନୀତି ଅନୁଷ୍ଠିତ ହୋଇଥିବା ବେଳେ ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିଥିଲେ ।