ବିଶ୍ବ ହସ୍ତୀ ଦିବସ.. ସବୁଠାରୁ ବଡ ସ୍ଥଳଚର ଜୀବ କୁହାଯାଉଥିବା ହାତୀଙ୍କୁ ନେଇ ଜନସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ । ୨୦୧୨ ଅଗଷ୍ଟ ୧୨ ତାରିଖରେ କାନାଡାର ପାଟ୍ରିସିଆ ସିମ୍ସ ଓ ଥାଇଲାଣ୍ଡର ଏଲିଫାଣ୍ଟ୍ ରିଇଣ୍ଟ୍ରଡକ୍ସନ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ହସ୍ତୀ ଦିବସ ପାଳନର ପରିକଳ୍ପନା କରାଯାଇଥିଲା । ତେବେ ସମ୍ପ୍ରତି ସ୍ଥିତିରେ ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ଶିକାର ଓ ହାତୀ-ମଣିଷ ଲଢ଼େଇ ପରି ଅନେକ ସମସ୍ୟା ସାମ୍ନାକୁ ଆସୁଛି
ଏଥିପାଇଁ ଜଙ୍ଗଲ ଛାଡି ହାତୀ ଏବେ ଜନବସତି ମୁହାଁ । ଏହାଦ୍ବାରା ହାତୀ ମଣିଷ ଲଢେଇ ଚିତ୍ର ସାମ୍ନାକୁ ଆସୁଥିବା ବେଳେ କେତେବେଳେ ହାତୀ ମୃତ୍ୟୁ ତ କେତେବେଳେ ମଣିଷ ମୃତ୍ୟୁ ଖବର ଶୁଣିବାକୁ ମିଳିଛି । ଗତ ୫ ବର୍ଷ ମଧ୍ୟରେ ହାତୀ ମଣିଷ ଲଢେଇରେ ୬୨୪ ଲୋକଙ୍କ ଜୀବନ ଯାଇଛି । ସେହିପରି ଶିକାର, ଟ୍ରେନ ଧକ୍କା ଓ ହରପିସ ଭଳି ରୋଗ ଯୋଗୁଁ ଗତ ୧୦ ବର୍ଷ ରେ ୭୭୯ ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । ତେବେ ହାତୀ ମଣିଷ ଲଢେଇ ରୋକିବାକୁ ଜଙ୍ଗଲରେ ଧାନ ଚାଷ କରିବା ପାଇଁ ବନ ବିଭାଗ କୁ DFO ସମ୍ମିଳନୀରେ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ପୂର୍ବ ଅପେକ୍ଷା ହାତୀ ସଂଖ୍ୟାରେ ଅନେକ ବୃଦ୍ଧି ଘଟିଛି । ୨୦୨୪ ହାତୀ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟର ୮ଟି ବନମଣ୍ଡଳର ୩୮ଟି ବନଖଣ୍ଡରେ ୨୦୯୮ଟି ହାତୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୪୭୪ ଟି ଦନ୍ତାହାତୀ,୧୦୩୦ଟି ମାଇହାତୀ ଓ ୫୯୪ଟି ଯୁବ ଓ ଛୁଆ ହାତୀ ରହିଛନ୍ତି । ଅନୁଗୁଳ ବନମଣ୍ଡଳରେ ସର୍ବାଧିକ ୭୭୯ଟି ହାତୀ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ବାରିପଦା ବନମଣ୍ଡଳରେ ୪୩୧ଟି ହାତୀ ରହିଛନ୍ତି । ଜଙ୍ଗଲରେ ହାତୀଙ୍କର ବାସସ୍ଥାନ ଓ ଖାଦ୍ୟ ନଷ୍ଟ ହେବା କାରଣରୁ ଜନବସତି ମୁହାଁ ହେଉଛନ୍ତି ହାତୀ । ଏଥିପାଇଁ ଜଙ୍ଗଲରେ ବ୍ୟାପକ ବାଉଁଶ ଗଛ ସହ ହାତୀ ଭଲ ପାଉଥିବା ଖାଦ୍ୟ ଉପଯୋଗୀ ଚାରା ରୋପଣ ଉପରେ ଧ୍ୟାନ ଦେବାକୁ ସରକାର ଅଣ୍ଟାଭିଡିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି ।
ହାତୀ ଆମର ପୂର୍ବପୁରୁଷଙ୍କ ସାଥୀ ଥିଲେ, କିନ୍ତୁ ଆଜି ସେମାନେ ଆମର ଶତ୍ରୁ ହୋଇଗଲେଣି। ତେବେ ଜୈବ ବିବିଧତା ଓ ପରିବେଶ ସନ୍ତୁଳନ ପାଇଁ ହାତୀ ବଞ୍ଚିବା ଏକାନ୍ତ ଆବଶ୍ୟକ ମଧ୍ୟ ରହିଛି। ତେଣୁ “ବିଶ୍ବ ହସ୍ତୀ ଦିବସ” ଅବସରରେ ହାତୀ ମଣିଷ ସହାବସ୍ଥାନ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇପଡିଛି ।
