ବର୍ଷକ ଭିତରେ ଷଷ୍ଠ ଥର। ପୁଣି ଆତଙ୍କବାଦ ବିରୋଧରେ ବଡ଼ ଅଭିଯାନ ଅପରେସନ ସିନ୍ଦୂର ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ କରାଯିବ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ୍ ଠାରୁ ବିଶାଳ ରୋଡ଼ ସୋ ରେ ଆସିବେ ପ୍ରଧାନମନ୍ତ୍ରୀ । ସବୁ ବିଧାନସଭାରୁ ପାଖାପାଖି 2 ଲକ୍ଷ ବିଜେପି କାର୍ଯ୍ୟକର୍ତ୍ତା ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବେ । ଏୟାର ପୋର୍ଟରୁ ଜନତା ମଇଦାନ ଭିତରେ 28ଟି ଜାଗାରେ ସ୍ବାଗତ ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ସେହିପରି ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡବଲ ଇଞ୍ଜିନ ସରକାରଙ୍କ ହିସାବ ଦେବେ ପିଏମ୍ । ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଦେବେ ବିକାଶର ଭେଟି । । ଏହି ଅବସରରେ 19 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । 105ଟି ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଉଦ୍ଘାଟନ । ଆୟୁଷ୍ମାନ ଭାରତ ବୟୋବନ୍ଦନ ଯୋଜନାରେ
ବରିଷ୍ଠ ନାଗରିକଙ୍କୁ ବାଣ୍ଟିବେ ସ୍ବାସ୍ଥ୍ୟ କାର୍ଡ। ମୁଖ୍ୟମନ୍ତ୍ରୀ ଅନ୍ତଦ୍ୟୋୟ ଗୃହ ଯୋଜନାରେ ୫୦ ହଜାର ହିତାକାରୀଙ୍କୁ ଦେବେ କାର୍ଯ୍ୟାଦେଶ ।
ବର୍ଷକରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ସଫଳ ହୋଇଥିବାରୁ ରାଜ୍ୟର ଲକ୍ଷପତି ଦିଦିଙ୍କ ସହ ବି କଥା ହେବେ ପିଏମ । ୧୨୩ କୋଟିର ଭଦ୍ରକ ଜିଲ୍ଲା କାରାଗାରର ଶିଳାନ୍ୟାସ କରିବେ । ୧୦୦ ଟି ଇ-ବସର ଶୁଭାରମ୍ଭ ବି କରିବେ । ଏହାସହ ବିଶେଷ ଭାବେ ବିଜେପି ସରକାରଙ୍କ ଭିଜନ ଓଡିଶା ୨୦୩୬ ଡକ୍ୟୁମେଣ୍ଟର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ରହିଛି ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ କରିବାର ବ୍ଲୁ ପ୍ରିଣ୍ଟ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । 133 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ 500ରୁ ଅଧିକ ଅଫିସର ମୁତୟନ ଅଛନ୍ତି । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ସହ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି।