ସଂଚାର ବ୍ୟୁରୋ: ଗୁଜରାଟରେ ବନ୍ୟାସ୍ଥିତି ଗମ୍ଭୀର। ଲକ୍ଷାଧିକ ଲୋକ ଜଳବନ୍ଦୀ। ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋତାଡ ଜିଲ୍ଲା। ଫ୍ଲାସଫ୍ଲଡ ଯୋଗୁ ଘଟିଛି ବଡ଼ ଦୁର୍ଘଟଣା। କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରୁ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥିତିକୁ ନେଇ ସାରା ରାଜ୍ୟରେ ରେଡ୍ ଆଲର୍ଟ ଜାରି କରାଯାଇଛି। ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଂଜ ଆଲର୍ଟ ଜାରି କରାଯାଇଛି। ମେହସାଣା, ଆରାବଳି, ଦେବଭୂମି ଦ୍ୱାରକା, ପୋରବନ୍ଦର, ଜୁନାଗଡ଼, ଗିର ସୋମନାଥ, ନବସାରି, ଭଲସାଡ, ରାଜକୋଟ ଏବଂ ଜାମନଗର ଭଳି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରଶାସନ ଲୋକଙ୍କୁ ଘର ଭିତରେ ରହିବା, ଗଛ ତଳେ ଯାନବାହାନ ନ ରଖିବାକୁ ଏବଂ ତଳିଆ ଅଂଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ହାଲଭାଡ ଏବଂ ମୋର୍ବିରେ ପରିସ୍ଥିତି ବହୁତ ଗମ୍ଭୀର ରହିଛି। ହାଲଭାଡରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ଫଳରେ ହାଲଭାଡରୁ ରଣମାଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଖାରୀ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଖପାଖ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଛି। ସେହି ସମୟରେ, ମୋର୍ବିରେ ମାଛୁ ଡ୍ୟାମର ତିନୋଟି ଗେଟ୍ ରେ ୫ ଫୁଟ ପର୍ଯ୍ୟନ୍ତ ଖୋଲାଯାଇଛି। ଡ୍ୟାମରେ ଜଳ ପ୍ରବାହ ବୃଦ୍ଧି ପାଇବାରୁ ଉପକୂଳ ଅଞ୍ଚଳର 21ଟି ଗାଁକୁ ସତର୍କ କରାଯାଇଛି। ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ରିଲିଫ କାର୍ଯ୍ୟ ତ୍ଵରାନ୍ଵିତ ଉପରେ ଗୁରୁତ୍ଵ ଦେଇଛନ୍ତି।…