ସଂଚାର ବ୍ୟୁରୋ: କିଛି ବର୍ଷ ବ୍ୟବଧାନରେ ମୁଣ୍ଡ ଟେକିଛି କୋଟିଭ-୧୯। କରୋନାର ନୂତନ ଉପପ୍ରଜାତି ଜେଏନ୍.୧ ପରେ ଏବେ ଦୁଇଟି ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହାର ନାଁ ହେଉଛି NB.1.8.1 ଏବଂ LF.7 । ଇନ୍ସାକୋଗ୍ ତଥ୍ୟ ଅନୁସାରେ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ମଧ୍ୟ ଏହି କରୋନା ସଂକ୍ରମଣ ମାମଲା ଅଧିକ ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଦୁଇଟି ଭାରିଏଣ୍ଟ ଉପରେ ଅଧିକ ଗବେଷଣା ଚଳାଇଥିବା ବେେଳ ଏହି ପ୍ରଜାତି ବିପଜ୍ଜନକ କି ନାହିଁ ଜାଣିବା।
NB.1.8.1 ଏବଂ LF.7ର ଲକ୍ଷଣ ଓମିକ୍ରନ ଭାରିଏଣ୍ଟ ପରି। ଜ୍ବର, ଗଳା ଦରଜ, ନାକରୁ ପାଣି ବହିବା, ଶୁଖିଲା କାଶ, ଥକ୍କାପଣ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବେଳେ ବେଳେ ତରଳ ଝାଡ଼ା, ଭୋକ ନ ଲାଗିବା, ବାନ୍ତି, ଜେଏନ୍.୧ ଏବଂ ଏହାର ଉପ ପ୍ରଜାତିରେ ଡାଇରିଆ ଅଧିକ ହେବାର ଆଶଙ୍କା ଥାଏ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କଠାରେ ଲକ୍ଷଣ ଦେଖାଯିବାର ୪ରୁ୫ ଦିନ ମଧ୍ୟରେ ଠିକ୍ ହୋଇଯାଆନ୍ତି। କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ବୟସ୍କ, ନବଜାତ ଶିଶୁ, ଗର୍ଭବତୀ ମହିଳାଙ୍କ ପାଇଁ ଏହା ଅଧିକ ବିପଜ୍ଜନକ। ତେଣୁ ଶରୀରରେ ଏହି ଲକ୍ଷଣ ଦେଖାଗଲେ, ଆର୍ଟି-ପିସିଆର୍ କିମ୍ବା ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ କରିବା ଜରୁରି। କରୋନାରେ ଆକ୍ରାନ୍ତ ହେଲେ ଘରେ ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ।
ଏହି ନୂତନ ଭାରିଏଣ୍ଟରେ ମୃତ୍ୟୁ ଆଶଙ୍କା କମ୍ ଥିଲେ ବି ଭିଡ ସ୍ଥାନରେ ମାସ୍କ ପିନ୍ଧିବା, ହାତକୁ ସାବୁନରେ ୨୦ ସେକେଣ୍ଡ ଧୋଇବା ଆବଶ୍ୟକ। ଛିଙ୍କିବା ବା କାଶିବା ସମୟରେ ମୁହଁରେ ମାସ୍କ ଦେବା ଜରୁରି। ସାମାନ୍ୟ ଲକ୍ଷଣ ଦେଖିଲେ, ଆଇସୋଲେଟ୍ରେ ରହିବା ଆବଶ୍ୟକ। ବୟସ୍କ ଏବଂ ରୋଗପ୍ରତିରୋଧକଶକ୍ତି ଦୁର୍ବଳ ଥିବା ବ୍ୟକ୍ତି ସତର୍କ ରହିବା ସହ ଦୈନିକ ଡାଏଟ୍ରେ ସନ୍ତୁଳିତ ଓ ପୌଷ୍ଟିକ ଖାଦ୍ୟ ସାମିଲ କରିପାରିବେ।

