ସଂଚାର ବ୍ୟୁରୋ: ମାଆକୁ ନାବାଳିକା ଝିଅ ହତ୍ୟା କରିଥିବା ସନ୍ଦେହ । ପ୍ରେମିକ ସହ ମିଶି ଯୋଜନାବଦ୍ଧ ଭାବେ ମାଆକୁ ୧୩ ବର୍ଷୀୟା ଝିଅ ହତ୍ୟା କରିଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ । ଭୁବନେଶ୍ୱରରୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ପାଠ ପଢିବା ପାଇଁ ପାରଳାଖେମୁଣ୍ଡିରେ ଘର ଭଡ଼ା ନେଇ ରହୁଥିଲେ ମାଆ-ଝିଅ । ସହରର ଏକ ଯୁବକଙ୍କ ସହ ଝିଅର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାକୁ ବିରୋଧ କରିବାକୁ ପ୍ରେମିକ ସହ ମିଶି ଅଷ୍ଟମଶ୍ରେଣୀ ଛାତ୍ରୀ ମାଆକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମାଆର ମୃତ୍ୟୁ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା ଝିଅ । ସେଠାରୁ ମୃତ ଶରୀରକୁ ଭୁବନେଶ୍ୱର ନେବାପରେ ପରିବାର ସମ୍ପର୍କୀୟଙ୍କ ସହଯୋଗରେ ଶେଷକୃତ୍ୟ କରାଯାଇଥିଲା । ତେବେ ଝିଅର ହାବଭାବ, ପ୍ରେମିକ ସହ ବାର୍ତ୍ତାଳାପ ଓ ମୋବାଇଲ ଚାଟ୍ ଦେଖି ସନ୍ଦେହ ବଢିବାରୁ ପୋଲିସକୁ ଜଣାଇଥିଲେ ପରିବାର ଲୋକେ । ପରିବାର ଲୋକଙ୍କ ସନ୍ଦେହ ଆଧାରରେ ସିନ ରିକ୍ରିଏସନ କରିଛି ପାରଳାଖେମୁଣ୍ଡି ପୋଲିସ । ତେବେ ଏ ସମ୍ପର୍କରେ ପରିବାର କିମ୍ବା ପୋଲିସ ପକ୍ଷରୁ ଏବେସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ ।