ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଭାରତର ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ-ୱେଭ୍ସ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି, ସେ ଆଜି ପାଳିତ ହେଉଥିବା ମହାରାଷ୍ଟ୍ର ଦିବସ ଏବଂ ଗୁଜରାଟ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତି, ରାଷ୍ଟ୍ରଦୂତ ଏବଂ ସୃଜନଶୀଳ ଶିଳ୍ପପତିଙ୍କ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହି ସମାବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୧୦୦ ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱ ପରିବେଶ ପାଇଁ ମୂଳଦୁଆ ସ୍ଥାପନ କରିବା ଲାଗି ଏକାଠି ହୋଇଛନ୍ତି। ‘‘ୱେଭ୍ସ କେବଳ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ତରଙ୍ଗ’’ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ସମ୍ମିଳନୀ ଚଳଚ୍ଚିତ୍ର, ସଙ୍ଗୀତ, ଗେମିଂ, ଆନିମେସନ୍ ଏବଂ କାହାଣୀ କହିବାର ବ୍ୟାପକ ବିଶ୍ୱକୁ ପ୍ରଦର୍ଶନ କରେ, ଯାହା କଳାକାର ଏବଂ ସ୍ରଷ୍ଟାମାନଙ୍କୁ ସଂଯୋଗ ଏବଂ ସହଯୋଗ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଏବଂ ବିଦେଶର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।
ୱେଭ୍ସ ସମ୍ମିଳନୀରେ ଭାରତର ସମୃଦ୍ଧ ସିନେମା ଇତିହାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ୩ମେ’୧୯୧୩ ରେ ଭାରତର ପ୍ରଥମ ଫିଚର ଫିଲ୍ମ, ରାଜା ହରିଶ୍ଚନ୍ଦ୍ର ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଦାଦା ସାହେବ ଫାଲକେ । ଫାଲକେଙ୍କ ଜନ୍ମବାର୍ଷିକୀ କେବଳ ଗୋଟିଏ ଦିନ ପୂର୍ବରୁ ପାଳନ କରାଯାଇଥିଲା ବୋଲି ସେ ମନେ ପକାଇଥିଲେ। ସେ ଗତ ଶତାବ୍ଦୀରେ ଭାରତୀୟ ସିନେମାର ପ୍ରଭାବ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ଭାରତର ସାଂସ୍କୃତିକ ସାରତତ୍ତ୍ଵକୁ ବିଶ୍ୱର ପ୍ରତ୍ୟେକ କୋଣରେ ସଫଳତାର ସହିତ ପହଞ୍ଚାଇଛି। ସେ ରୁଷରେ ରାଜ କପୁରଙ୍କ ଲୋକପ୍ରିୟତା, କାନ୍ସରେ ସତ୍ୟଜିତ ରାୟଙ୍କ ବିଶ୍ୱସ୍ତରୀୟ ସ୍ୱୀକୃତି ଏବଂ ଆରଆରଆର ଫିଲ୍ମର ଅସ୍କାର ବିଜୟୀ ସଫଳତା ଉପରେ ଆଲୋକପାତ କରିଥିଲେ, ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ କିପରି ବିଶ୍ୱସ୍ତରୀୟ କାହାଣୀକୁ ଆକାର ଦେଇ ଚାଲିଛନ୍ତି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଗୁରୁ ଦତ୍ତଙ୍କ ସିନେମା, ଋତ୍ୱିକ ଘଟକଙ୍କ ସାମାଜିକ ପ୍ରତିଫଳନ, ଏ.ଆର. ରହମାନଙ୍କ ସଙ୍ଗୀତ ପ୍ରତିଭା ଏବଂ ଏସ.ଏସ. ରାଜାମୌଲିଙ୍କ କାହାଣୀକୁ ମଧ୍ୟ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏହି ପ୍ରତ୍ୟେକ କଳାକାର ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭାରତୀୟ ସଂସ୍କୃତିକୁ ଜୀବନ୍ତ କରିଛନ୍ତି। ଶ୍ରୀ ମୋଦୀ ଏହା ମଧ୍ୟ କହିଥିଲେ ଯେ ଭାରତୀୟ ସିନେମା କିମ୍ବଦନ୍ତୀମାନଙ୍କୁ ସ୍ମାରକୀ ଡାକଟିକଟ ମାଧ୍ୟମରେ ସମ୍ମାନିତ କରାଯାଇଥିଲା, ଶିଳ୍ପ ପ୍ରତି ସେମାନଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ଭାରତର ସୃଜନଶୀଳ କ୍ଷମତା ଏବଂ ବିଶ୍ୱସ୍ତରୀୟ ସହଯୋଗର ମହତ୍ତ୍ଵ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ଷ ବର୍ଷ ଧରି ସେ ଗେମିଂ, ସଙ୍ଗୀତ, ଚଳଚ୍ଚିତ୍ର ନିର୍ମାଣ ଏବଂ ଅଭିନୟର ପେସାଦାରମାନଙ୍କ ସହିତ ଜଡିତ ଅଛନ୍ତି । ସୃଜନଶୀଳ ଶିଳ୍ପ ପ୍ରତି ତାଙ୍କର ବୁଝାମଣାକୁ ଗଭୀର କରୁଥିବା ଚିନ୍ତାଧାରା ଏବଂ ଅନ୍ତର୍ଦୃଷ୍ଟି ଉପରେ ସେ ଆଲୋଚନା କରିଛନ୍ତି। ସେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ନିଆଯାଇଥିବା ଏକ ଅନନ୍ୟ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯେଉଁଠାରେ ୧୫୦ଟି ଦେଶର
ଗାୟକମାନେ ପ୍ରାୟ ୫୦୦-୬୦୦ ବର୍ଷ ପୂର୍ବେ ନରସିଂହ ମେହେଟାଙ୍କ ଦ୍ୱାରା ଲିଖିତ ‘ବୈଷ୍ଣବ ଜନ ତୋ’ ଭଜନ ପରିବେଷଣ କରିବାକୁ ଏକାଠି ହୋଇଥିଲେ। ସେ କହିଥିଲେ ଯେ ଏହି ବିଶ୍ୱସ୍ତରୀୟ କଳାତ୍ମକ ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିଛି, ବିଶ୍ୱକୁ ସମନ୍ୱୟର ସହିତ ଏକାଠି କରିଛି। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଶିଖର ସମ୍ମିଳନୀରେ ଉପସ୍ଥିତ ଅନେକ ବ୍ୟକ୍ତି ଗାନ୍ଧୀଙ୍କ ଦର୍ଶନକୁ ଆଗକୁ ବଢାଇ ଛୋଟ ଭିଡିଓ ବାର୍ତ୍ତା ସୃଷ୍ଟି କରି ‘ଗାନ୍ଧୀ ୧୫୦’ ପ୍ରୟାସରେ ଅବଦାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତର ସୃଜନଶୀଳ ଜଗତର ସାମୂହିକ ଶକ୍ତି, ଅନ୍ତର୍ଜାତୀୟ ସହଯୋଗ ସହିତ ମିଳିତ ହୋଇ, ଏହାର ସମ୍ଭାବନା ପ୍ରଦର୍ଶନ କରିସାରିଛି ଏବଂ ସେହି ଦୃଷ୍ଟିକୋଣ ଏବେ ତରଙ୍ଗ ଭାବରେ ରୂପାନ୍ତରିତ ହୋଇଛି।
ଶ୍ରୀ ମୋଦୀ ୱେଭ୍ସ ଶିଖର ସମ୍ମିଳନୀର ପ୍ରଥମ ସଂସ୍କରଣର ଅପୂର୍ବ ସଫଳତାକୁ ପ୍ରଶଂସା କରି କହିଥିଲେ ଯେ, ପ୍ରଥମ ମୁହୂର୍ତ୍ତରୁ ହିଁ ଏହି କାର୍ଯ୍ୟକ୍ରମ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ଏବଂ ‘ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ସ୍ୱର ସୃଷ୍ଟି କରୁଛି’। ସେ ସମ୍ମିଳନୀର ପରାମର୍ଶଦାତା ବୋର୍ଡର ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ପ୍ରୟାସକୁ ସ୍ୱୀକାର କରିଥିଲେ, ୱେଭ୍ସକୁ ସୃଜନଶୀଳ ଶିଳ୍ପରେ ଏକ ଐତିହାସିକ ଘଟଣା କରିବାରେ ସେମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବ୍ୟାପକ ଆକାରରେ ଆୟୋଜନ କରାଯାଉଥିବା କ୍ରିଏଟର୍ସ ଚ୍ୟାଲେଞ୍ଜ ଏବଂ କ୍ରିଏଟୋସ୍ଫିୟର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ୬୦ ଟି ଦେଶର ପ୍ରାୟ ୧୦୦,୦୦୦ ସୃଜନଶୀଳ ପେସାଦାର ଅଂଶଗ୍ରହଣ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ୩୨ ଟି ପ୍ରତିଯୋଗିତା ମଧ୍ୟରୁ ୮୦୦ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି, ସେମାନଙ୍କର ପ୍ରତିଭାକୁ ଚିହ୍ନିତ କରି ଏବଂ ସେମାନଙ୍କ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଫାଇନାଲିଷ୍ଟମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ସେମାନଙ୍କ ପାଖରେ ଏବେ ବିଶ୍ୱ ସୃଜନଶୀଳ ମଞ୍ଚରେ ନିଜର ଛାପ ଛାଡ଼ିବାର ସୁଯୋଗ ଅଛି।
ପ୍ରଧାନମନ୍ତ୍ରୀ ୱେଭ୍ସ ଶିଖର ସମ୍ମିଳନୀ ସମୟରେ ଭାରତ ପାଭିଲିୟନରେ ପ୍ରଦର୍ଶିତ ସୃଜନଶୀଳ ବିକାଶ ପାଇଁ ଉତ୍ସାହ ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗୁରୁତ୍ୱପୂର୍ଣ୍ଣ ନବସୃଜନ ହାସଲ ହୋଇଛି, ଏବଂ ସେ ଏହି ସୃଷ୍ଟିଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ଦେଖିବା ପାଇଁ ଅପେକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ୱେଭ୍ସ ବଜାର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ନୂତନ ନିର୍ମାତାମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କୁ ଉଦୀୟମାନ ବଜାର ସହିତ ସଂଯୋଗ କରିବାର ଏହାର ସମ୍ଭାବନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କଳା ଶିଳ୍ପରେ କ୍ରେତା ଏବଂ ବିକ୍ରେତାଙ୍କୁ ସଂଯୋଗ କରିବାର ଧାରଣାକୁ ପ୍ରଶଂସା କରି କହିଥିଲେ ଯେ ଏପରି ପଦକ୍ଷେପ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିଥାଏ ଏବଂ କଳାକାରମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିଥାଏ।
ସୃଜନଶୀଳତା ଏବଂ ମାନବ ଅଭିଜ୍ଞତା ମଧ୍ୟରେ ଗଭୀର ସମ୍ପର୍କ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ କହିଥିଲେ, ଜଣେ ଶିଶୁର ଯାତ୍ରା ମା’ର ଲୋରୀ ସହିତ ଆରମ୍ଭ ହୁଏ । ଏଇଠି ହିଁଶବ୍ଦ ଏବଂ ସଙ୍ଗୀତ ସହିତ ମଣିଷର ପ୍ରଥମ ପରିଚୟ ହୁଏ । ଯେପରି ଜଣେ ମା’ ତାଙ୍କ ପିଲା ପାଇଁ ସ୍ୱପ୍ନ ବୁଣେ, ସେହିପରି ସୃଜନଶୀଳ ପେସାଦାରମାନେ ଏକ ଯୁଗର ସ୍ୱପ୍ନକୁ ଆକାର ଦିଅନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ୱେଭ୍ସର ସାରତତ୍ତ୍ଵ ହେଉଛି ଏପରି ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ଏକାଠି କରିବା , ଯେଉଁମାନେ ସେମାନଙ୍କ କଳା ମାଧ୍ୟମରେ ପିଢ଼ିକୁ ପ୍ରେରଣା ଦିଅନ୍ତି ଏବଂ ପ୍ରଭାବିତ କରନ୍ତି।