ସଂଚାର ବ୍ୟୁରୋ: ଗୋଟିଏ ପଟେ ଯାତ୍ରା କଳାକାର ଓ କର୍ମଚାରୀ ଅନ୍ୟପଟେ ମାଲିକ ମହାସଂଘ। ଉଭୟଙ୍କ ମଧ୍ୟରେ ବିବାଦ ଜାରି ରହି ଥିବା ବେଳେ ଅଭିନେତା ବାପି ପଣ୍ଡାଙ୍କ ଅଭିଯୋଗ ଘଟଣାକୁ ଆହୁରି ରୋଚକ କରିଛି । ଗତକାଲି ବାଲେଶ୍ଵର ଟାଉନ ଥାନାରେ ଯାତ୍ରା ପାର୍ବତୀ ଓ ରାଜଧାନୀ ଅପେରାର ମୁଖ୍ୟ ପରିଚାଳକ ଜଗତ ଜୀବନ ପଣ୍ଡାଙ୍କ ନାମରେ ଅଭିଯୋଗ କରିଛନ୍ତି ବାପି ପଣ୍ଡା । ସେ କହିଛନ୍ତି ମୁଁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ର ଦ୍ଵାରସ୍ଥ ହୋଇଛି। ମୁଁ ବର୍ତ୍ତମାନ ଧର୍ମ ଯୁଦ୍ଧରେ ଛିଡ଼ା ହୋଇଛି । କର୍ଣ୍ଣ ଅର୍ଜୁନ ସହ ଲଢେଇ କରିବ କିନ୍ତୁ ଶ୍ରୀଖଣ୍ଡି ସହ ନୁହଁ । ଆଗାମୀ ଦିନରେ ଯଦି ମୋର କିଛି ହୋଇଯାଏ, ତାହେଲେ ଜଗତ ଜୀବନ ପଣ୍ଡା ଦାୟୀ ରହିବେ। ପ୍ରଚ୍ଛଦରେ ଦୁଇ ଜଣ ମାଲିକ ଅନନ୍ତ ନାରାୟଣ ଧଳ ଓ ପବିତ୍ର ପାତ୍ର ଅଛନ୍ତି। ଏହି ଦୁଇ ଜଣ ଅହଙ୍କାର ଛାଡ଼ି ଆଗକୁ ଆସିଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ବାଲେଶ୍ଵର ଟାଉନ ଥାନାରେ ଅଭିଯୋଗକୁ ଆଧାର କରି କେସ ନମ୍ବର 102/25 ରେ ଏକ ମାମଲା ରୁଜୁ ହୋଇଛି । ସେପଟେ ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ପାର୍ବତୀ ଓ ରାଜଧାନୀ ଅପେରାର ମୁଖ୍ୟ ପରିଚାଳକ ଜଗତ ଜୀବନ ପଣ୍ଡା । ଆମେ କେହି ଆଇନରୁ ଉର୍ଦ୍ଧରେ ନୁହେଁ । ଯାହା ଅଭିଯୋଗ ଆସିବ ତାକୁ ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ଏସବୁର କିଛି ଫରକ ପଡ଼ିବ ନାହିଁ । ମୁଁ ୩ ଶହ କଳାକାରଙ୍କ ପରିବାରକୁ ଚଳାଉଛି । ବାପି ପଣ୍ଡା କେତେ କଳାକାରଙ୍କ ଘର ଭାଙ୍ଗିଛନ୍ତି ସେସବୁର ତଥ୍ୟ ମୁଁ ଖୁବଶୀଘ୍ର ଦେବି ବୋଲି କହିଛନ୍ତି ଜଗତ ଜୀବନ ।….