ସଂଚାର ବ୍ୟୁରୋ: ଆଜିଠାରୁ ଦୁଲୁକିବ ଶ୍ରୀକ୍ଷେତ୍ର । ଆରମ୍ଭ ହେବ ପୁରୀର ସାଂସ୍କୃତିକ ମହାକୁମ୍ଭ ସାହିଯାତ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ରାମଲୀଳାର ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ ବାଦ୍ୟନୃତ୍ୟରେ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର । ଏପ୍ରିଲ ୬ ତାରିଖ ରୁ ଆରମ୍ଭ ହୋଇ ୨୨ ତାରିଖ ଚାଲିବ ଯାତ । ଶ୍ରୀକ୍ଷେତ୍ରର ପ୍ରାଚୀନ ୮ ସାହିର ବାସିନ୍ଦା ୬୦ ଜାଗା ଘର ସୌଜନ୍ୟରୁ ୮ ଆଖଡା ନେତୃତ୍ୱରେ ଅନୁଷ୍ଠିତ ହେବ ଯାତ । ୮ ସାହିର ଜାଗା ଆଖଡାମାନଙ୍କରୁ ପୈାରାଣିକ ରାମାୟଣର ଚରିତ୍ର ରାମ, ଲକ୍ଷ୍ମଣ, ସୀତା, ରାବଣ, ପର୍ଶୁରାମ, ହନୁମାନ, ସପ୍ତଶିରା ଓ ନାଗା ମେଢ ଆଦି ସାହି ପରିକ୍ରମା କରିବେ । ଏଥିରେ ପ୍ରତି ସାହିର ମୁରବି ଏବଂ ବାସିନ୍ଦାମାନେ ପଟୁଆରରେ ଯୋଗଦେଇ କରି କଳା କୌଶଳ ପ୍ରଦର୍ଶନ କରିବେ । ପୁରୀର ୮ ସାହି କାଳିକାଦେବୀ ସାହି, ମାଟିମଣ୍ଡପ ସାହି, ହରଚଣ୍ଡୀ ସାହି, ମାର୍କଣ୍ଡେଶ୍ୱର ସାହି, ଗୌଡବାଡା ସାହି, ଦୋଳମଣ୍ଡପ ସାହି, ବାଲିସାହି, କୁଣ୍ଢାଇ ବେଣ୍ଟ ସାହି ଆଦିରେ ସମରକଳା, ଲୋକନୃତ୍ୟ, ଲୋକକଳା ଆଦି ପ୍ରଦର୍ଶନ କରାଯିବ । ପ୍ରଥମ ଦିନରେ କାଳିକାଦେବୀ ସାହି ତରଫରୁ ସାହିଯାତ ଆରମ୍ଭ ହେବ ।