ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଭୁବନେଶ୍ବର ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୧୯ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି, ତୋଷାଳି ମେଳା ହେବ ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ । ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିବେ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ନିମନ୍ତେ ଏହା ଏକ ବଜାର ଯୋଗାଇଦେବ । ଏହି ମେଳାରେ ୬୫୦ ରୁ ଅଧିକ ଷ୍ଟଲ ଲାଗିବ। ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରଯୋଜିତ ବିଭିନ୍ନ ରାଜ୍ୟରୁ ୧୫୦ଟି ଷ୍ଟଲରେ ୫୦ ଜଣ ବୁଣାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ।
ଓଡ଼ିଶା ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ରହିବ । ପ୍ରତ୍ୟେକ ଦିନ ୩ ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ମେଳା । ଚଳିତବର୍ଷ ୩୦ ଲକ୍ଷ ଜନ ସମାଗମ ସହ ୨୮ କୋଟିର ବାଣିଜ୍ୟ ଆଶା ରଖିଛି ବିଭାଗ । ୨୫ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ ଶିଳ୍ପ ସୃଜନୀ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ହେଲ୍ସ ଡେସ୍କ, ହ୍ବିଲ ଚେୟାର ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନମୋହିବ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଆୟୋଜିତ ହେବ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଫ୍ୟାସନ ଶୋ । ଏତଦବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭାରତ ତଥା ଓଡିଶା ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାମାନେ ବିଭିନ୍ନ ଷ୍ଟଲରେ ଦର୍ଶକମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ ଅବଗତ କରିବେ । ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ ଶିଳ୍ପ ସୃଜନୀ । ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୨୮ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ।