ସଂଚାର ବ୍ୟୁରୋ: ଭିଜିଲାନ୍ସ ଜାଲରେ ବନପାଳ ଓ ହାତୀ ସ୍କ୍ଵାଡ କର୍ମଚାରୀ । ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ବନଖଣ୍ଡ ମହାବିରୋଡ ବନାଞ୍ଚଳ ଡିହଡୋଳ ସେକ୍ସନ ବନପାଳ ଓ ହାତୀ ସ୍କ୍ଵାଡ କର୍ମଚାରୀଙ୍କୁ ବାନ୍ଧିଲା ଦୁର୍ନୀତି ନିବାରଣ ବିଭାଗ । ମହାବିରୋଡ ବନାଞ୍ଚଳ କୁଟୁରିଆ ଗ୍ରାମର ବଳରାମ ସାହୁ ନିଜର ଚାଷ ଜମିରେ ଖୋଦେଇ କରୁଥିବାବେଳେ ଡିହଡୋଳ ସେକ୍ସନ ବନପାଳ ବିଶ୍ୱନାଥ ସୋରେନ ପହଞ୍ଚି ଜେସିବି ମେସିନ୍ କୁ ଅଟକ ରଖିଥିଲେ। ମାମଲା ରୁଜୁ କରିବା ସହିତ ଜମି ମାଲିକକୁ ଗିରଫ କରିବା ପାଇଁ ଭୟଭୀତ କରିଥିଲେ । ୫୦ ହଜାର ଟଙ୍କା ନଦେଲେ ଗିରଫ ପାଇଁ ଦେଇଥିଲେ ଧମକ । ପରବର୍ତ୍ତୀ ସମୟରେ ୨୫ ହଜାର ଟଙ୍କାରେ ମାମଲାକୁ ରଫାଦଫା କରିବାକୁ କହି ମଙ୍ଗଳବାର ୧୫ ହଜାର ଟଙ୍କା ନେଇଥିଲେ । ଅବଶିଷ୍ଟ ଟଙ୍କା ବୁଧବାର ନେବା ପାଇଁ ଧାର୍ଯ୍ୟ ହୋଇଥିଲା । ଏନେଇ ଜମି ମାଲିକ ଅନୁଗୁଳ ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗକୁ ଆଧାର କରି ଅନୁଗୁଳ ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଡିଏସପି ବିନୋଦ କୁମାର ସାମଲଙ୍କ ନେତୃତ୍ୱରେ କଟକ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଓ ଅନୁଗୁଳ ଶାଖାର ୪ ଜଣ ଇନ୍ସପେକ୍ଟର, ସବଇନସ୍ପେକ୍ଟରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ବଳରାମ ବକେୟା ୧୦ ହଜାର ଟଙ୍କା ଡିହଡୋଳ ସେକ୍ସନ ବନପାଳଙ୍କୁ ଦେବାପାଇଁ ଯାଇଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ବନପାଳ ବିଶ୍ୱନାଥ ସୋରେନ ଓ ହାତୀ ସ୍କ୍ଵାଡ କର୍ମଚାରୀ ସନ୍ଦିପ୍ତ ସାହୁକୁ ମାଡି ବସିଥିଲେ । ବନପାଳ ବିଶ୍ୱନାଥଙ୍କ ପୈତୃକ ବାସଭବନ କଙ୍କଡ଼ାହାଡ଼ ଥାନା ବାଲିକୁମା ପଞ୍ଚାୟତ ତାରିଣୀପଶି ବାସଗୃହ ସମେତ କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମ ରାଧାକୁଞ୍ଜ ସାହି ଭଡା ଘରେ ପହଞ୍ଚି ତଦନ୍ତ କରିବା ସହିତ ହାତୀ ସ୍କ୍ଵାଡ ସନ୍ଦିପ୍ତଙ୍କ ବାସଗୃହ ବାରିହାପୁର ଗ୍ରାମରେ ଚଢ଼ାଉ କରି ଯାଞ୍ଚ କରିଛନ୍ତି ।

