ସଂଚାର ବ୍ୟୁରୋ: ରାଜ୍ୟରେ ଆଉ ରହିବନି ଆଳୁ ଚିନ୍ତା । ଏଥର ଶସ୍ତାରେ ମିଳିବ ଆଳୁ । ଓଡ଼ିଶାରେ ପହଞ୍ଚିଲା ୪ ରାଜ୍ୟର ଆଳୁ ଟ୍ରକ୍ । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ଜଳନ୍ଧର ଓ ବିହାର ପୁରୁଣିଆରୁ ଆସି ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍ । ଏବେ ପଶ୍ଚିମବଙ୍ଗକୁ ପଛରେ ପକାଇବାକୁ ବାହାରିଲେଣି ୟୁପି, ପଞ୍ଜାବ ଓ ବିହାର ଆଳୁ ବେପାରୀ ।
ଓଡ଼ିଶା ବଡ଼ ଖାଉଟୀ ମାର୍କେଟ୍ ହୋଇଥିବାରୁ ଏବେ ଏଠାରେ ଆଳୁ ବ୍ୟବସାୟ କରିବା ପାଇଁ ଏସବୁ ରାଜ୍ୟର ବ୍ୟବସାୟୀ ଆଗ୍ରହ ଦେଖାଇଛନ୍ତି । ଏମିତିକି କ୍ଷତି ସହି ମଧ୍ୟ ଓଡ଼ିଶା ମାର୍କେଟରୁ ବେଙ୍ଗଲ ବେପାରୀଙ୍କୁ ହଟାଇବାକୁ ରାଜି ଅଛନ୍ତି ଉତ୍ତରପ୍ରଦେଶ ଆଳୁ ବ୍ୟବସାୟୀ ।
ଭୁବନେଶ୍ବର ଆଇଗିଣିଆରେ ଲାଗିଛି ୪ ରାଜ୍ୟର ଆଳୁ ଟ୍ରକ୍ । ଉତ୍ତରପ୍ରଦେଶ, ପଞ୍ଜାବ, ବିହାର ଓ ପଶ୍ଚିମବଙ୍ଗ ଗାଡ଼ି ପହଞ୍ଚିଛି। କିଛି ଦିନ ଆଗରୁ ଜମା ଆସୁ ନଥିଲା, ଏବେ ଚାରି ଚାରିଟି ରାଜ୍ୟରୁ ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍ । ଅବସ୍ଥା ଏମିତି ହୋଇଛି ଯେ, ଉତ୍ତର ପ୍ରଦେଶ ସହିତ ପଞ୍ଜାବ ଓ ବିହାର ଆଳୁ ମାର୍କେଟରେ ପହଞ୍ଚିବା ପରେ ଆଳୁ ବିକିବାକୁ ନେଇ ଆରମ୍ଭ ହୋଇଛି ତୀବ୍ର ପ୍ରତିଦ୍ବନ୍ଦ୍ବିତା । ବର୍ତ୍ତମାନ ପଶ୍ଚିମବଙ୍ଗରୁ ଯେତିକି ପରିମାଣରେ ଆଳୁ ଆସୁଛି ସେହି ପରିମାଣରେ ୟୁପି, ପଞ୍ଜାବ ଓ ବିହାରରୁ ମଧ୍ୟ ଆସିବା ଆରମ୍ଭ ହୋଇଛି । ଓଡ଼ିଶା ବଡ଼ ଖାଉଟୀ ମାର୍କେଟ୍ ହୋଇଥିବାରୁ ଏବେ ଏଠାରେ ଆଳୁ ବ୍ୟବସାୟ କରିବା ପାଇଁ ଏସବୁ ରାଜ୍ୟର ବ୍ୟବସାୟୀ ଆଗ୍ରହ ଦେଖାଇଛନ୍ତି । ଏମିତିକି କ୍ଷତି ସହି ମଧ୍ୟ ଓଡ଼ିଶା ମାର୍କେଟରୁ ବେଙ୍ଗଲ ବେପାରୀଙ୍କୁ ହଟାଇବାକୁ ରାଜି ଅଛନ୍ତି ଉତ୍ତରପ୍ରଦେଶ ଆଳୁ ବ୍ୟବସାୟୀ ।
ଓଡ଼ିଶାରେ ବେଙ୍ଗଲ ଆଳୁ ବନ୍ଦ ହୋଇଗଲେ ବି ୟୁପି ଓଡ଼ିଶାର ପରମାନେଣ୍ଟ ଆଳୁ ଯୋଗାଣକାରୀ ରାଜ୍ୟ ହେବ ବୋଲି କହିଛନ୍ତି ସେଠାକାର ଆଳୁ ବ୍ୟବସାୟୀ । ସେପଟେ ପଞ୍ଜାବ ଓ ବିହାର ଆଳୁ ବେପାରୀ ମଧ୍ୟ ଓଡ଼ିଶାକୁ ଆଳୁ ଯୋଗାଇବାକୁ ରାଜି ଅଛନ୍ତି । ଓଡ଼ିଶା ବ୍ୟବସାୟୀ ବି ଏହାକୁ ନେଇ ବେଶ୍ ଖୁସି ଅଛନ୍ତି । ସେମାନଙ୍କ କହିବା କଥା କମ୍ପିଟେସନ ହେଲେ ଦିଦିଙ୍କ ମନମାନୀ କମିବ ।
ସେପଟେ ୪ ରାଜ୍ୟରୁ ଆଳୁ ଆସିବାକୁ ସ୍ବାଗତ କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଦଶହରାରେ ବାହାରିବାକୁ ଥିବା କୋରାପୁଟ ଆଳୁକୁ ଆଉ ବେଙ୍ଗାଲୁରୁ କି ହାଇଦ୍ରାବାଦ ରପ୍ତାନୀ ନକରି ଓଡ଼ିଶାରେ ବିକ୍ରି କରିବାକୁ ଯୋଜନା କରିଛନ୍ତି ସରକାର । ଏମିତି ହେଲେ ଡିସେମ୍ବର ଓ ଜାନୁଆରୀ ବେଳକୁ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶାର ନିର୍ଭରଶୀଳତା ହ୍ରାସ ପାଇବ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ।
ଏସବୁ ଭିତରେ କାହିଁକି ପଶ୍ଚିମବଙ୍ଗ ଓଡ଼ିଶାକୁ ଆଳୁ ଟ୍ରକ୍ ଛାଡ଼ୁନି, କାହିଁକି ସୀମାରେ ନାକା ଲଗାଇ ଆଳୁ ଟ୍ରକ୍ ଅଟକାଉଛି ପଶ୍ଚିମବଙ୍ଗ ପୋଲିସ ତା’ର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରିଥିଲା। ପଶ୍ଚିମ ମେଦିନପୁରରେ ଆଳୁ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିଲା । ଗତବର୍ଷ ଏହି ସମୟରେ ଯେଉଁ ଆଳୁ ୧୫ ଟଙ୍କା ଥିଲା ତାହା ଏବେ ଦୁଇ ଗୁଣା ହୋଇଛି । ମାସେ ତଳେ ଏଠାରେ ୪୫ଟଙ୍କା ଛୁଇଁଥିଲା ଆଳୁ ଦର । ପଶ୍ଚିମବଙ୍ଗରେ ଆଳୁ ଦର ବଢ଼ିବା ଦେଖି ରପ୍ତାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ପଶ୍ଚିମବଙ୍ଗ ସରକାର । ତେବେ ପୁରୁଣା ଆଳୁକୁ କୋଲଡ୍ ଷ୍ଟୋରେଜ୍ରୁ ବାହାର କରି ବିକ୍ରି କରୁଛନ୍ତି ବେପାରୀ । ପୁରୁଣା ଦର ସହ କୋଲଡ୍ ଷ୍ଟୋରେଜ୍ ଚାର୍ଜ ଲାଗିବା ପରେ ଏହା ୨୫ରୁ ୨୭ଟଙ୍କା ହୋଇଯାଉଛି । ତେଣୁ ୩୦ରେ ବିକୁଛନ୍ତି ପଶ୍ଚିବବଙ୍ଗ ବେପାରୀ ।
ପଶ୍ଚିବଙ୍ଗରେ ଆଳୁ ଦର ୩୦ ଥିବା ବେଳେ ଏହା ଓଡ଼ିଶାକୁ ଆସିବା ପରେ ୩୫ରୁ ୪୦ଟଙ୍କା ହୋଇଯାଇଛି । ତେବେ ଆଗକୁ ଯଦି ୟୁପି, ବିହାର ଓ ପଞ୍ଜାବ ଭଳି ରାଜ୍ୟରୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସେ ତାହେଲେ ଓଡ଼ିଶା ଆଉ ପଶ୍ଚିମବଙ୍ଗ ଆଳୁ ଉପରେ ନିର୍ଭର କରିବନି ।