ସଂଚାର ବ୍ୟୁରୋ: ମଣିଷ ମନରୁ କେବେ ହଟିବ ଅନ୍ଧବିଶ୍ଵାସ। ମାସକର ଶିଶୁକୁ ଦିଆଯାଇଛି ୩୦ରୁ ଅଧିକ ଚେଙ୍କ। ନବରଙ୍ଗପୁର ଚନ୍ଦାହାଣ୍ଡି ଅଂଚଳର ଏ ଅଭାବନୀୟ ଘଟଣା। ଡାକ୍ତରୀ ଚିକିତ୍ସାରେ ବିଶ୍ୱାସ ନକରି ଗୁଣି ଗାରେଡ଼ିକୁ କରୁଛନ୍ତି ଭରସା। ଛୋଟ ଶିଶୁର ମୁଣ୍ଡ ଓ ପେଟରେ ଦିଆଯାଇଛି ଏହି ଚେଙ୍କ। ଶିଶୁଟି ଗୁରୁତର ହେବା ପରେ ତାକୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିl ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗାଁର ସରୋଜ କୁମାର ନାୟକଙ୍କ ୧ ମାସର ପୁଅ ଅସୁସ୍ଥ ହୋଇପଡିବାରୁ ଏହି ଚେଙ୍କ ଦେଇଥିବା ପରିବାର ଲୋକେ କହିଛନ୍ତି। ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି ଶିଶୁଟି ଲଗାତାର କାନ୍ଦିବାକୁ ଲାଗିଥିଲା। ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଶିଶୁଟିର ଚିକିତ୍ସା କରୁଛନ୍ତି। ଚିକିତ୍ସା ପରେ ଶିଶୁଟି ଭଲ ଥିବା କହିଛନ୍ତି ଡାକ୍ତର। ଅତିଶୀଘ୍ର ଭଲ ହୋଇ ଯେପରି ଘରକୁ ଫେରିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସବୁ ପ୍ରକାର ଚିକତ୍ସାରେ ସହଯୋଗ କରାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ତେବେ ପିଲାକୁ କିଏ ଚେଙ୍କ ଦେଲା ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି ପରିବାର ଲୋକେ।.