ପୁଣି ବଢିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି ସିଲିଣ୍ଡର ପିଛା ୬ ଟଙ୍କା ବୃଦ୍ଧି ପାଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି । ଏହି ସିଲିଣ୍ଡର ଏବେ ଦିଲ୍ଲୀରେ ୧୮୦୩ ଟଙ୍କାରେ ମିଳିବ । ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ସିଲିଣ୍ଡର ୬ ଟଙ୍କା ମହଙ୍ଗା ହୋଇଛି । ତଥାପି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଇଣ୍ଡିଆନ୍ ଅଏଲ୍ (IOC), ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ଏବଂ ଭାରତ ପେଟ୍ରୋଲିୟମ୍ (BPCL) LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ଦେଶର ସର୍ବବୃହତ ପେଟ୍ରୋଲିୟମ୍ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିଠାରୁ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଅର୍ଥାତ୍ ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି ।
୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୯୭ରୁ ବଢି ୧୮୦୩ ଟଙ୍କା ହୋଇଛି । ୬ ଟଙ୍କା ବୃଦ୍ଧି ହୋଇଛି ଦର । ମାସ ଆରମ୍ଭରୁ ତୈଳ କମ୍ପାନୀ ଦ୍ବାରା ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ବଜେଟ୍ ଦିନ ୭ ଟଙ୍କା କମିଥିଲା । ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ଇଣ୍ଡିଆନ ଅଏଲ କର୍ପୋରେସନ ଅନୁଯାୟୀ, ଆଜି ଅର୍ଥାତ୍ ୧ ମାର୍ଚ୍ଚ, ୨୦୨୫ ଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୮୦୩ ଟଙ୍କା ହୋଇଯାଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ଏହାର ମୂଲ୍ୟ ୧୭୯୭ ଟଙ୍କା ଥିଲା ଏବଂ ଜାନୁଆରୀରେ ଏହି ସିଲିଣ୍ଡର ୧୮୦୪ ଟଙ୍କା ଥିଲା ।
ଆଜିଠାରୁ କୋଲକାତାରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୯୧୩ ଟଙ୍କା ହୋଇଯାଇଛି । ପୂର୍ବରୁ ଏହାର ମୂଲ୍ୟ ୧,୯୦୭ ଟଙ୍କା ଥିଲା । ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୭୫୫.୫୦ ଟଙ୍କାକୁ ବୃଦ୍ଧି ପାଇଛି ଯାହା ଫେବୃଆରୀରେ ୧୭୪୯.୫୦ ଟଙ୍କା ଥିଲା । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ କୋଲକାତାରେ ୮୨୯ ଟଙ୍କା ଏବଂ ମୁମ୍ବାଇରେ୮୦୨.୫୦ ଟଙ୍କା । ଦିଲ୍ଲୀରେ ଏହି ସିଲିଣ୍ଡରର ମୂଲ୍ୟ ୮୦୩ ଟଙ୍କା ଚେନ୍ନାଇରେ ଏହାର ମୂଲ୍ୟ ୮୧୮.୫୦ ଟଙ୍କା ରହିଛି ।