ସଂଚାର ବ୍ୟୁରୋ: ଆର ଏବଂ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜାଲାନ୍ସ ଗିରଫ କରିଛି । ୧୦ଟି ଫ୍ଲାଟ୍,୭ଟି ପ୍ଲଟ୍, ଅଢେଇ କେଜି ସୁନା ଠାବ ହୋଇଥିଲା । ୩୭୦ ଗ୍ରାମ ହୀରା,୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା । ନଗଦ ୬ ଲକ୍ଷ ଟଙ୍କା, ୨ ଦାମୀ କାର୍ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ବେଳେ ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ସମ୍ପତ୍ତି ଦେଖି ଅଧିକାରୀ ତାଜୁବ୍ ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସର ୯ଟି ଟିମ୍ ଗତକାଲି ଶ୍ରୀ ମିଶ୍ରଙ୍କ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅବାସିକ ଘର, କଟକ ଆଠଗଡ଼ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ କରି ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ।
ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରୁ ଆମେରିକା, ଥାଇଲାଣ୍ଡ, ଭିଏତ୍ନାମ, ୟୁଏଇ, କାନାଡ଼ା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ମୁଦ୍ରା ଜବତ କରାଯାଇଛି। ଏହାଛଡ଼ା ଝିଅର ଡାକ୍ତରୀ ପଢ଼ା ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ଢେର୍ ଅଧିକ ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଭିଜିଲାନ୍ସ ଟିମ୍ ଅଧିକ ଖୋଳତାଡ଼ କରୁଛି। ୧୨ଜଣ ଡିଏସ୍ପିଙ୍କ ସମେତ ୧୨ଜଣ ଆଇଆଇସି, ୧୬ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।