‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ ସୋ’ରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ମହାରାଷ୍ଟ୍ର ସାଇବର ସେଲ୍ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ସମନ ଜାରି କରିଛି। ସୋ’ର ଏକ ଏପିସୋଡ୍ରେ ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ ପିତାମାତା-ପିଲାଙ୍କ ସମ୍ପର୍କ ଉପରେ ଅପମାନଜନକ ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା।
ଏହି ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍ ୟୁଟ୍ୟୁବର ଆଶିଷ ଚଞ୍ଚଲାନି, ରଣବୀର ଆଲ୍ଲାହାବାଦିଆ ଏବଂ ସୋ’ର ଆୟୋଜକ ସମୟ ରୈନାଙ୍କ ସମେତ ୩୦ ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଶିଷ ଚାଞ୍ଚଲାନି ଖାର ପୁଲିସ ଷ୍ଟେସନରେ ତାଙ୍କର ବୟାନ ରେକର୍ଡ କରିଥିବା ବେଳେ ସମୟ ରୈନା ବର୍ତ୍ତମାନ ଦେଶ ବାହାରେ ଅଛନ୍ତି।
ପୁଲିସ ସମୟ ରୈନାଙ୍କ ସହ ଯୋଗାଯୋଗ କରିଛି ଏବଂ ଫେରିବା ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। ଏଥିସହିତ ପୁଲିସ ରଣବୀର ଆଲ୍ଲାହାବାଦିଆଙ୍କ ମ୍ୟାନେଜରଙ୍କ ସହ ମଧ୍ୟ ଯୋଗାଯୋଗ କରିଛି ଏବଂ ଆଶା କରାଯାଉଛି ଯେ ରଣବୀର ଖୁବ୍ ଶୀଘ୍ର ତାଙ୍କର ବୟାନ ରେକର୍ଡ କରିବେ।
ଏହି ବିବାଦ ପରେ ସୋ’ର ସମସ୍ତ ଏପିସୋଡ୍ ୟୁଟ୍ୟୁବ୍ରୁ ହଟାଇ ଦିଆଯାଇଛି। ମହାରାଷ୍ଟ୍ର ସାଇବର ପୁଲିସ ସମସ୍ତ ଭିଡିଓ ହଟାଇବାକୁ ୟୁଟ୍ୟୁବକୁ ଚିଠି ଲେଖି ଅନୁରୋଧ କରିଥିଲା। ଏହା ବ୍ୟତୀତ ଜାତୀୟ ମହିଳା କମିଶନ ରଣବୀର ଆଲ୍ଲାହାବାଦିଆ, ସମୟ ରୈନା ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ସମନ ଜାରି କରିଛି। ଯାହାର ଶୁଣାଣି ଫେବୃଆରି ୨୭ରେ ହେବ।