ଭୁବନେଶ୍ୱର : ନିବେଶ ମହାକୁମ୍ଭରୁ ଆସିଲା ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି । ଏହାଦ୍ବାରା ରାଜ୍ୟରେ ପ୍ରାୟ ୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଦିନରେ ୧୪୫ଟି ଏମଓୟୁ ସ୍ବାକ୍ଷରିତ ହୋଇଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସ୍ବପ୍ନ ସାକାର କରିବୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭରେ ଶହେ ଏମଓୟୁ ସ୍ବାକ୍ଷର ସହ ୫ ଲକ୍ଷ କୋଟି ନିବେଶର ଟାର୍ଗେଟ ରଖିଥିଲେ। ଦୁଇଦିନିଆ କନକ୍ଲେଭରେ ଆଶାଠୁ ଦୁଇ ଗୁଣା ହୋଇଛି ପୁଞ୍ଜିନିବେଶ ।
ଶିଳ୍ପ ମହାକୁମ୍ଭରେ ନିବେଶ ବର୍ଷା। ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନରେ ମୁଖ୍ୟତଃ ଶକ୍ତି ଓ କୃଷିକ୍ଷେତ୍ର ଉପରେ ରହିଛି ଫୋକସ। ରାଜ୍ୟରେ ଶକ୍ତି ଓ କୃଷି କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଶିଳ୍ପଦ୍ୟୋଗୀ । ପ୍ରାୟ ୪ଲକ୍ଷ ୩୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଏମଓୟୁ ସ୍ବାକ୍ଷର ହୋଇଛି। ୩୪ ହଜାର ମେଗାୱାଟ ପମ୍ପ ଷ୍ଟୋରେଜ କ୍ଷମତା ପାଇଁ ୨ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ୨୧ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର ରିନ୍ଯୁଏବଲ ପାଇଁ ଏକଲକ୍ଷ ୧୦ କୋଟି ଟଙ୍କା ନିବେଶ ହୋଇଛି।
୧୫.୪୦ ମେଗାୱାଟ କ୍ଷମତାର ପବନଶକ୍ତି, ବାର୍ଷିକ ୧.୫ ମିଲିୟନ ମେଟ୍ରିକ ଟନ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପାଇଁ ସମୁଦାୟ ୨୮ହଜାର ୪୩୦ କୋଟିର ନିବେଶ ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶିଳ୍ପମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪୦ରୁ ୫୦ ପ୍ରତିଶତ ସବଡିଟି ପ୍ରଦାନ କରି ଯୁବ ଶିଳ୍ପଦ୍ୟୋଗୀଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରୋତ୍ସାହନ କରାଯିବ। ଘରୋଇ ସହଭାଗିତାରେ ପ୍ରତି ସବଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ପ୍ରୋତ୍ସାଦନ ଦିଆଯିବ।