ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଆଇସିସି ୨୦୨୪ର ଶ୍ରେଷ୍ଠ କ୍ରିକେଟର ଭାବେ ଚୟନ କରିଛି । ବୁମରା ୨୦୨୪ରେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଓ୍ବିକେଟ ହାସଲ କରିଛନ୍ତି । ସେ ୨୦୨୪ରେ ମୋଟ ୧୩ ଟେଷ୍ଟ ମ୍ୟାଚ ଖେଳିଥିଲେ, ଯେଉଁଥିରେ ୧୪.୯୨ ଆଭରେଜରେ ୭୧ ଓ୍ବିକେଟ ନେଇଥିଲେ । ସେହିପରି ବୁମରା ୩୨ ଓ୍ବିକେଟ ସହ ବର୍ଡର ଗାଭାସ୍କର ଟ୍ରଫିରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ଖେଳାଳି ବିବେଚିତ ହୋଇଛନ୍ତି ।
ଆଇସିସି ବୁମରାଙ୍କୁ ମେନ୍ସ ଟେଷ୍ଟ କ୍ରିକେଟର ଅଫ ଦ ଇୟର ଭାବେ ଚୟନ କରିଛି । ବୁମରା ଘରୋଇ ଓ ବିପକ୍ଷ ଟିମର ମଇଦାନରେ ନିଜକୁ ପ୍ରମାଣିତ କରିଛନ୍ତି । ବୁମରା ଘରୋଇ ମଦାନରେ ଇଂଲଣ୍ଡ ବିପକ୍ଷରେ ଏବଂ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାରେ ବିଶେଷ ଭୂମିକା ନିଭାଇଛନ୍ତି ।
ଏହାଛଡା ବିଦେଶୀ ମାଟିରେ ସାଉଥ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ବଢିଆ ପ୍ରଦର୍ଶନ କରିଛନ୍ତି ବୁମରା । ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ସିରିଜ ଜିତିପାରିନଥିଲା । ହେଲେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ୩୨ ୱିକେଟ ନେଇଛନ୍ତି ।
ବୁମରା ଟେଷ୍ଟ କ୍ରିକେଟରେ ଉପଲବ୍ଧି ହାସଲ କରିଥିବା ଷଷ୍ଠ ଭାରତୀୟ ଖେଳାଳି । ତାଙ୍କ ପୂର୍ବରୁ ରାହୁଲ ଦ୍ରାବିଡ, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ବାଗ, ରବିଚନ୍ଦ୍ରନ ଅଶ୍ବିନ, ବିରାଟ କୋହଲି ହାସଲ କରିଥିଲେ । ଏହାପରେ ୬ ବର୍ଷ ପରେ ଏହି ଉପଲବ୍ଧି ପୁଣି ଦେଶକୁ ଫେରିଛି ।
ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କାର ଟ୍ରଫି ସମୟରେ ପିଠି ମାଂସପେଶୀ ଯନ୍ତ୍ରଣାରେ ଝଟପଟ ହୋଇଥିଲେ ବୁମରା । ବର୍ଡର ଗାଭାସ୍କର ଟ୍ରଫିର ୫ମ ତଥା ଶେଷ ଟେଷ୍ଟ ମ୍ୟାଚରେ ବୁମରା ସ୍କାନିଂ ପାଇଁ ହସପିଟାଲ ଯାଇଥିଲେ ।