ସଂଚାର ବ୍ୟୁରୋ: ପବିତ୍ର ମକର ସଂକ୍ରାନ୍ତିରେ ପ୍ରୟାଗରାଜରେ ବୁଡ଼ ପକାଇଲେ ସାଢ଼େ ୩ କୋଟିରୁ ଅଧିକ ଶ୍ରଦ୍ଧାଳୁ। ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହୋଇଛି ବୁଡ଼। ଆସନ୍ତା ଫେବୃଆରୀ ୨୬ ଯାଏ ଚାଲିବ କୁମ୍ଭ ମେଳା। ଏହି ସମୟ ମଧ୍ଯରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିବା ଆଶା କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୦ ହଜାରରୁ ଅଧିକ ପୋଲିସ। ସମଗ୍ର କୁମ୍ଭମେଳା ଅଞ୍ଚଳରେ ଲଗାଯାଇଛି ୨ ହଜାର ୭୦୦ ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ଯାମେରା । ସେପଟେ ୧୧ ଶ୍ରଦ୍ଧାଳୁଙ୍କ ମୃତ୍ଯକୁ ନେଇ ଭୁଲ ଖବର ପ୍ରସାରଣ ବିରୋଧରେ ରୁଜୁ ହୋଇଛି ମାମଲା। ଅମୃତ ସ୍ନାନବେଳେ ଶ୍ରଦ୍ଧାଳୁଙ୍କ ଉପରେ ହୋଇଥିଲା ଫୁଲ ବର୍ଷା। ଏହା ସହ ଅଣ୍ଡରୱାଟର ଡ୍ରୋନ ବ୍ଯବସ୍ଥା ବି ପ୍ରଥମ ଥର ଲାଗି କରାଯାଇଛି। ଗଙ୍ଗା, ଯମୁନା, ସରସ୍ବତୀଙ୍କ ସଂଗମ ସ୍ଥଳୀରେ ଆୟୋଜିତ ଉତ୍ସବରେ ସାମିଲ ହୋଇଛନ୍ତି ସାଧୁ, ସନ୍ଥ ଓ ଦେଶ ବିଦେଶର ଶ୍ରଦ୍ଧାଳୁ। ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ବ୍ଯାପକ ବ୍ଯବସ୍ଥା କରାଯାଇଛି। ୭ ସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଏହା ସହ ଏନଡିଆରଏଫ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବି ମୁତୟନ ହୋଇଛନ୍ତି। ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି। କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର ବ୍ଯବସ୍ଥା କରାଯାଇଛି। ୧୪୪ ବର୍ଷ ପରେ ଏହି ମହା ସଂଯୋଗ ଘଟିଛି। ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଅବସ୍ଥାନ କରିବେ। ଏହି ସମୟରେ ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି।