ପୁରୀ : ଆଜି ବସିବ ଛତିଶା ନିଯୋଗ ବୈଠକ। ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତିମଣତି ନେଇ ବୈଠକରେ ହେବ ଆଲୋଚନା । ନୀତିକାନ୍ତି ପ୍ରଭାବିତ ନହୋଇ କିଭଳି ମରାମତି ପାଇଁ ସମୟ କଢାଯିବ ସେନେଇ ବୈଠକରେ ହେବ ନିଷ୍ପତ୍ତି।
ଅନ୍ୟପଟେ ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ୫ରୁ ୬ ଘଣ୍ଟା ଆବଶ୍ୟକ ଥିବା ବେଳେ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ଜୁଲାଇ ୧୪ ଓ ୧୮ ତାରିଖରେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା । ଅଗଷ୍ଟ ୨୩ରେ ଖାଲି ସିନ୍ଦୁକକୁ ଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା ।
ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିଥିଲା ଏଏସଆଇର ବୈଷୟିକ ଟିମ୍ । ଏବେ ମରାମତି ଓ ଗଣତି ମଣତି ଭଳି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟ ବାକି ରହିଥିବା ବେଳେ ଆଜିର ଛତିଶାନିଯୋଗ ବୈଠକରେ କଣ ନିଷ୍ପତ୍ତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଏଥିରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ସହ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପହିଲି ଭୋଗ ନୀତି, ଜାନୁଆରି ୧୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ନୀତି ଓ ଜାନୁଆରି ୧୪ ତାରିଖରେ ମକରସଂକ୍ରାନ୍ତି ନୀତି ଉପରେ ଆଲୋଚନା କରାଯିବ। ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର, ପୁରୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଦର କାର୍ୟ୍ୟାଳୟ ଠାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇ ନିମ୍ନଲିଖିତ ବିଷୟସୂଚୀ ଉପରେ ଆଲୋଚନା କରାଯିବ।