ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆଜି ୧୪ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ବର୍ଷା ଲାଗି ରହିବା ନେଇ ଆକଳନ । ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୫୮ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି କନ୍ଧମାଳ କେ.ନୂଆଗାଁରେ ୫୭ ମିମି, କଳିଙ୍ଗାରେ ୩୮ ମିମି, ରାଇକିଆରେ ୩୬ ମିମି ବର୍ଷା ରେକର୍ଡ ହୋଇଛି ।
ଅନ୍ୟପଟେ ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିପାରେ । ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ କମିବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ରାତି ତାପମାତ୍ରା ଅନ୍ୟ ସବୁ ଜିଲ୍ଲା ତୁଳନାରେ କମ୍ ରହିପାରେ । ଏସବୁ ସ୍ଥାନରେ ଶିଶିରପାତ ବା କୁହୁଡ଼ି ଦେଖାଦେବ। ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।
୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଅଷ୍ଟ୍ରେଲିଆର ବିଓଏମ୍, ଆମେରିକାର ଏନ୍ଓଏଏ ତଥା ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ତଥ୍ୟକୁ ଉଲ୍ଲେଖ କରି ପ୍ରଫେସର ପଶୁପାଳକ କହିଛନ୍ତି, ଏବେ ଲା ନିନା ଆସିଯାଇଛି । ୨୦୨୬ ଜାନୁୟାରୀ ମାସ ଯାଏ ସ୍ୱଳ୍ପ ଅବଧି ପାଇଁ ଏହା ରହିପାରେ । ଲା ନିନା ସମୟରେ କେତେକ ବର୍ଷ ଅତ୍ୟଧିକ ବର୍ଷା ଓ ଶୀତ ହୋଇଥାଏ ବୋଲି ସେ କହିଛନ୍ତି । ୧୩ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ପରିବର୍ତ୍ତନ ହୋଇ ଉତ୍ତର-ପୂର୍ବ ବାୟୁ ଉପକୂଳରେ ବହିବ । ଏହା ପରିବର୍ତ୍ତିତ ମୌସୁମୀକୁ ସୂଚାଉଛି । ଗତ ୨୭ ତାରିଖରୁ ୯ ତାରିଖ ଯାଏ ମୌସୁମୀ ବାୟୁ କୌଣସି ସ୍ଥାନରେ ପଛକୁ ହଟିନି ବୋଲି ସେ କହିଛନ୍ତି ।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ରବିବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଏହି ସବୁ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ ଦିଆଯାଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ୧୧.୨ ମିମି ଓ ରାୟଗଡ଼ାରେ ୫.୪ ମିମି ବର୍ଷା ହୋଇଛି।

