ସଂଚାର ବ୍ୟୁରୋ: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି ୧୫ ଜଣିଆ ସ୍କ୍ୱାଡଙ୍କ ନାଁ ଘୋଷଣା କରିଛି ବିସିସିଆଇ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ବିଶ୍ୱକପ୍ ଖେଳିବ ମହିଳା କ୍ରିକେଟ୍ ଟିମ୍। ବିସିସିଆଇ କୌରଙ୍କୁ ଅଧିନାୟକ କରି ଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ଉପଅଧିନାୟକ ଦାୟିତ୍ୱ ଦେଇଛି। ଅକ୍ଟୋବର ୩ରୁ ୟୁଏଇରେ ମହିଳା ଟି-ଟ୍ବେଣ୍ଟି ବିଶ୍ୱକପ ଆରମ୍ଭ ହେବ। ଦୁବାଇ ଏବଂ ଶାରଜା ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ। ୧୦ଟି ଟିମ୍ ବିଶ୍ୱକପ୍ ଖେଳୁଥିବା ବେଳେ ମୋଟ୍ ୨୩ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଗ୍ରୁପ୍-ଏରେ ରହିଥିବା ବେଳେ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ସ୍କଟଲ୍ୟାଣ୍ଡ ଗ୍ରୁପ୍-ବିରେ ଅଛନ୍ତି। ୪ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ। ସେହିପରି ୬ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଥିବା ବେଳେ ଅକ୍ଟୋବର ୯ରେ ଶ୍ରୀଲଙ୍କା ଏବଂ ୧୩ ଅକ୍ଟୋବରରେ ଅଷ୍ଟ୍ରେଲିଆ ସହ ମୁକାବିଲା ହେବ। ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଘୋଷିତ ଭାରତୀୟ ଦଳରେ ହରମନପ୍ରୀତ କୌର ଅଧିନାୟକ, ସ୍ମୃତି ମନ୍ଧାନା ଉପଅଧିନାୟକ, ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁସ୍, ରିଚା ଘୋଷ, ୟସ୍ତିକା ଭାଟିଆ, ପୂଜା ଭାସ୍ତ୍ରକର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ଦୟାଲାନ ହେମାଲତା, ଆଶା ସୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ ଓ ସାଜନା ସଜୀବନ ସାମିଲ ହୋଇଛନ୍ତି। ।

