ବର୍ତ୍ତମାନର ଏହି ପରିବର୍ତ୍ତିତ ପାଗ ସମୟରେ ଲୋକମାନେ ବିଭିନ୍ନ ପ୍ରକାରର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଯାହା ହେଉଛି ଥଣ୍ଡା, କାଶ, ଜ୍ବର ଇତ୍ୟାଦି । ଆପଣମାନେ ଜାଣିଥିବେ ଯେ ଅଧିକ ଥଣ୍ଡା ହୋଇଗଲେ ନାକରୁ ପାଣି ବାହାରିବା ଆରମ୍ଭ ହୋଇଥାଏ ଏବଂ କଫ ଜମିଯାଏ । ଯାହା ଦ୍ବାରା ବହୁତ କଷ୍ଟ ମଧ୍ୟ ହୋଇଥାଏ । ଏଥି ସହ କାଶ ମଧ୍ୟ ବହୁତ୍ ହୋଇଥାଏ, କାଶିବା ସମୟରେ ଛାତିରେ ଯନ୍ତ୍ରଣା ହୋଇଥାଏ । ବେଳେବେଳେ ଏପରି କାଶ ହୁଏ ଆମେ ଠିକ୍ ଭାବରେ ଶୋଇପାରି ନଥାନ୍ତି । ରାତିସାରା କାଶିବା ଯୋଗୁଁ ଗଳା ଯନ୍ତ୍ରଣା ହୋଇଥାଏ ଏବଂ ନିଦରୁ ଉଠିଗଲେ ଅବସ୍ଥା ଆହୁରି ଖରାପ ହୋଇଯାଏ । ଯଦି ଆପଣ ମଧ୍ୟ କାଶ ଯୋଗୁଁ ରାତି ଶୋଇପାରୁ ନାହାଁନ୍ତି, ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ । ଯାହା ଦ୍ବାରା ଆପଣଙ୍କର ସମସ୍ୟା ଦୂର ହେବାକୁ ଲାଗିବ ।
ଅଦା :
ଅଦା କାଶ ପାଇଁ ଏକ ପ୍ରଭାବଶାଳୀ ଔଷଧି ଭାବରେ କାମ କରେ । ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଅଦାକୁ ଚୋଇବା ଦ୍ବାରା କାଶ କମିଯାଏ । ରାତିରେ କାଶରୁ ମୁକ୍ତି ପାଇବା ପାଇଁ ୧ କପ୍ ଗରମ ପାଣିରେ ୨୦-୩୦ ଗ୍ରାମ୍ ପେଷା ଅଦାକୁ ମିଶାନ୍ତୁ । ଏଥିରେ ମହୁ କିମ୍ବା ଲେମ୍ଭୁ ରସ ମିଶାଇ ପିଅନ୍ତୁ । ଦେଖିବେ ଆପଣଙ୍କର ଶୁଖିଲା କାଶ ବହୁ ଶୀଘ୍ର କମ୍ ହେବାକୁ ଲାଗିବ ।
ଯଷ୍ଟିମଧୁ :
ଯଷ୍ଟିମଧୁର ମୂଳ କାଶ ପାଇଁ ବହୁତ ପ୍ରଭାବଶାଳୀ ହୋଇଥାଏ । ଯଷ୍ଟିମଧୁରେ ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି, ଯାହା ଗଳା ଯନ୍ତ୍ରଣାକୁ ବହୁ ପରିମାଣରେ କମ୍ କରିପାରିବ । ଯଦି ଆପଣ ଯଷ୍ଟିମଧୁକୁ ଚା’ ରୂପରେ ପିଅନ୍ତି, ତେବେ ଆମଣଙ୍କର ଅନେକ ସମସ୍ୟା ଦୂର ହେବ ଏବଂ କାଶ ମଧ୍ୟ କମିଯିବ ।
ୟୁକଲପଟାସ୍ ତେଲ (eucalyptus oil) :
କାଶରୁ ମୁକ୍ତି ପାଇବା ପାଇଁ ଷ୍ଟିମ୍ ନିଅନ୍ତୁ ଏବଂ ପାଣିରେ କିଛି ବୁନ୍ଦା ୟୁକଲପଟାସ୍ ତେଲ ମିଶାନ୍ତୁ । ବିଶେଷ କରି ରାତିରେ ୟୁକଲପଟାସ୍ ତେଲ ମିଶାଇ ଷ୍ଟିମ୍ ନେବା ଦ୍ବାରା ଶୁଖିଲା କାଶରୁ ମୁକ୍ତି ମିଳିଥାଏ । ଏଥି ସହ ଆପଣ ଏହାକୁ ଆପଣଙ୍କର ବେକ ଏବଂ ଛାତିରେ ମଧ୍ୟ ହାଲୁକା ଭାବରେ ଲଗାଇପାରିବେ ।
ଉଷୁମ ପାଣି କୁଳି କରନ୍ତୁ :
କାଶ ସେତେବେଳେ ଅଧିକ ହୋଇଥାଏ, ଯେତେବେଳେ ଗଳାରେ କଫ ଶୁଖିଯାଇଥାଏ । ଯଦି ଆପଣଙ୍କର ଏହି ସମସ୍ୟା ହେଉଛି ତେବେ ଆପଣ ଉଷୁମ ପାଣିରେ କୁଳି କରନ୍ତୁ, ଦେଖିବେ ଆପଣଙ୍କୁ ବହୁତ୍ ରିଲାକ୍ସ ଲାଗିବ । ଏହା ଆଲର୍ଜି ଏବଂ ପ୍ରଦୂଷଣ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । ତେଣୁ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ କୁଳି କରନ୍ତୁ । ଦେଖିବେ ଆପଣଙ୍କର ହେଉଥିବା ସମସ୍ୟା ବହୁତ୍ ଶୀଘ୍ର କମ୍ ହେବାକୁ ଲାଗିବ ।