ସଲମାନ ଖାନଙ୍କ ଘରେ ପଶିଲେ ଅଜଣା ମହିଳା । ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ଭାଇଜାନ । ବହୁତ ଦିନ ଧରି ସଲମାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୌଇଙ୍କ ଗ୍ୟାଙ୍ଗରୁ ହତ୍ୟା ଧମକ ମିଳୁଥିବା ବେଳେ ବର୍ତ୍ତମାନ ତାଙ୍କ ଜଣେ ଜଣେ ଅଜଣା ମହିଳା ପଶିବାକୁ ଚେଷ୍ଟା କରିଛନ୍ତି । ସୂଚନା ଅନୁଯାୟୀ, ସଲମାନଙ୍କ ମୁମ୍ବାଇରେ ଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ଜଣେ ଅଜଣା ମହିଳା ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଯାହା ପରେ ମୁମ୍ୱାଇ ପୋଲିସ ସେହି ମହିଳାଙ୍କୁ ଗିରଫ କରିଛି ।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମହିଳା ଜଣକ ହାଇ-ପ୍ରୋଫାଇଲ୍ ଆପାର୍ଟମେଣ୍ଟର ସିକ୍ୟୁରିଟି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସଲମାନଙ୍କ ଘରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଅଟକାଇ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଛି । ବର୍ତ୍ତମାନ ତାଙ୍କର ପରିଚୟ ଏବଂ ଅନ୍ୟ ଡିଟେଲସ୍ ଯାଞ୍ଚ କରୁଛି ପୋଲିସ । ପୋଲିସ ବର୍ତ୍ତମାନ ତଦନ୍ତ କରୁଛି ଯେ ମହିଳା ଜଣକ ମୁମ୍ବାଇର ବାସିନ୍ଦା ନା ଅନ୍ୟ କୌଣସି ସହରର । ତେବେ ଏହି ଘଟଣା ପ୍ରଥମ ନୁହେଁ ।
କିଛି ଦିନ ତଳେ ଜଣେ ବ୍ୟକ୍ତି ସଲମାନ ଖାନଙ୍କ ଘରେ ବେଆଇନ ଭାବରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସେହି ସମୟରେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡମାନେ ତାଙ୍କୁ ପୋଲିସକୁ
ହସ୍ତାନ୍ତର କରିଥିଲେ । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ବ୍ୟକ୍ତି ଜଣକ ଛତିଶଗଡ଼ର । ଆଉ ଗତ କିଛି ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ଯେତେବେଳେ ଜଣେ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି ।
ମୁମ୍ବାଇ ପୋଲିସ ଉଭୟ ଘଟଣାକୁ ନିଶ୍ଚିତ କରିଛି । ମୁମ୍ବାଇ ପୋଲିସ ଡିସିପିଙ୍କ ଅନୁଯାୟୀ, ଯୁବକ ଜଣକ ମଙ୍ଗଳବାର ସନ୍ଧ୍ୟାରେ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ବେଳେ ମହିଳା ଜଣକ ବୁଧବାର ରାତିରେ ମଧ୍ୟ ଏପରି କରିବାକୁ ଚେଷ୍ଟା କରିଥିଲେ । ଏବେ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି ଏବଂ ଜାଣିବାକୁ ଚେଷ୍ଟା କରୁଛି ଯେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଅଛି କି? ଏହି ଦୁଇଟି ଘଟଣାରେ ଦାବି କରାଯାଉଛି ଯେ ଏହି ଲୋକମାନେ ସଲମାନଙ୍କୁ ଭେଟିବାକୁ ଚାହୁଁଛନ୍ତି । ତେବେ ଦୁହେଁ ସଲମାନଙ୍କ ଫ୍ୟାନ୍ସ ନା ଏହା ପଛରେ ଅନ୍ୟ କୌଣସି କାହାଣୀ ଅଛି?