ସଂଚାର ବ୍ୟୁରୋ: ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ । ଭାରତ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଟାରିଫ୍ ଚେତାବନୀକୁ ଉତ୍ତର ଦେଇ ଏକ କଠୋର ବିବୃତି ପ୍ରକାଶ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବିବୃତିରେ କୁହାଯାଇଛି ଯେ, ରୁଷ୍ ଠାରୁ ତେଲ କିଣିବା ନେଇ ପାଇଁ ଆମେରିକା ଏବଂ ଇଉରୋପୀୟ ସଂଘ ଭାରତକୁ ଟାର୍ଗେଟ୍ କରିଛନ୍ତି । ଯାହା ପରେ ଆମେରିକା ଶୁଳ୍କ ବୃଦ୍ଧି ଧମକ ପରେ ଭାରତ କଡ଼ା ଜବାବ ଦେଇଛି ।
ଭାରତ ରୁଷଠାରୁ ତେଲ କିଣି ଅଧିକ ଲାଭ କରୁଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି । ଏହା ଛଡ଼ା ସେ କହିଛନ୍ତି ଯେ, ଭାରତ କେବଳ ରୁଷରୁ କ୍ରୁଡ ଅଏଲ କିଣୁନାହିଁ ବରଂ ଏହି ତେଲକୁ ଖୋଲାରେ ବିକି ଅଧିକ ଲାଭ କରୁଛି । ଯେଉଁଥିପାଇଁ ଭାରତ ଉପରେ ଲାଗିଥିବା ଶୁଳ୍କ ବଢାଇବାକୁ ଧମକ ଦେଇଛନ୍ତି ।
ଏହାରି ମଧ୍ୟରେ ଆମେରିକା ଏବଂ ୟୁରୋପିଓ ଦେଶକୁ କଡ଼ା ସମାଲୋଚନା କରିଛି ଭାରତ ବୈଦେଶିକ ମନ୍ତ୍ରଣାଳୟ । ଯାହା ଦ୍ବାରା ଆମେରିକା ଏବଂ ୟୁରୋପର ଦୋମୁହାଁ ନୀତିକୁ ପଦାରେ ପକାଇଛି ଭାରତ । ଏଥି ସମେତ ଆବଶ୍ୟକ ଅନୁଯାୟୀ ଭାରତ ତେଲ କିଣୁଛି ବୋଲି ମଧ୍ୟ କହିଛି । ଏହା ଅନ୍ୟାୟ ଏବଂ ଅଯଥାର୍ଥ । ଟ୍ରମ୍ପଙ୍କ ପ୍ରତି ଜବାବରେ ଭାରତ କହିଛି ଯେ, କୌଣସି ବଡ଼ ଅର୍ଥନୈତିକ ଶକ୍ତି ପରି, ଭାରତ ନିଜର ହିତ ଏବଂ ଅର୍ଥନୈତିକ ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ନେବ । ୨୦୨୪ରେ ଇଉରୋପୀୟ ସଂଘ ରୁଷ୍ ସହିତ ୬୭.୫ ବିଲିୟନ୍ ଇଉରୋ ବାଣିଜ୍ୟ କରିଥିଲା । ସେହିପରି ୨୦୨୩ରେ ୧୭.୨ ବିଲିୟନ୍ ଇଉରୋ ବାଣିଜ୍ୟ କରିଥିଲା ଯାହା ଭାରତର ରୁଷ୍ ସହିତ ବାଣିଜ୍ୟ ଠାରୁ ଅଧିକ । ଆମେରିକା ମଧ୍ୟ ରୁଷ୍ ଠାରୁ ଇଉରେନିୟମ ହେକ୍ସାଫ୍ଲୋରାଇଡ, ପାଲାଡିୟମ, ଫର୍ଟିଲାଇଜର ଏବଂ କେମିକାଲ୍ସ କିଣୁଛି ବୋଲି ଭାରତ କହିଛି । ତେଣୁ ରୁଷରୁ ତେଲ ଆମଦାନୀ ନେଇ ଭାରତକୁ ଟାର୍ଗେଟ କରାଯିବା ଆଦୌ ଉଚିତ୍ ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଏହା ଛଡ଼ା ଅର୍ଥନୀତିର ସୁରକ୍ଷା ପାଇଁ କିଛି ବି ପଦକ୍ଷେପ ନେବାକୁ ଭାରତ ପଛ ଘୁଞ୍ଚା ଦେବନାହିଁ ।

