ବଲିଉଡ଼ ଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ। ମୁମ୍ଵାଇର ବାନ୍ଦ୍ରାରେ ଥିବା ଘର ବାହାରେ ଗୁଳି ଚାଳନା ହେବାର ପ୍ରାୟ ବର୍ଷେ ପରେ ପରେ ଏହି ଧମକ ଆସିଛି। ସଲମାନ ଖାନଙ୍କ କାର ଉପରେ ବୋମା ମାଡ଼ କରାଯିବାର ଧମକ ଦିଆଯାଇଛି। ଏ ନେଇ ୱର୍ଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ କରୁଛି। ହତ୍ୟା ଧମକ ଆସିଥିଲା ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ । ଏଥିରେ କୁହାଯାଇଛି, ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରାଯିବ ଏବଂ ତାଙ୍କ କାରକୁ ବୋମାରେ ଉଡ଼ାଇ ଦିଆଯିବ। ଏହି ଘଟଣା ପରେ, ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତି ବିରୋଘପେ ଏକ ମାମଲା ରୁଜୁ କରିଛି। କେଉଁଠୁ ଧମକ ଆସିଛି, ଏହାର ସତ୍ୟତା କେତେ ତାର ଯାଞ୍ଚ କରାଯାଉଛି। କିଛି ବର୍ଷ ଧରି ସଲମାନ ଖାନଙ୍କୁ ଲରେନସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଅନେକ ଧମକ ମିଳିଛି। ୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମ୍ପୃକ୍ତିକୁ ନେଇ ଏହି ଗ୍ୟାଙ୍ଗ ତାଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି। ୨୦୨୪ ରେ ବିଷ୍ଣୋଇ ଗ୍ୟାଙ୍ଗ୍ ଧମକ ଦେଇ କହିଥିଲା, ମନ୍ଦିରକୁ ଯାଇ କୃଷ୍ଣସାର ମୃଗ ଶିକାର ପାଇଁ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ। ଗତ ଅକ୍ଟୋବର ୩୦ ତାରିଖରେ ମଧ୍ୟ ଜଣେ ଅଜଣା ବ୍ୟକ୍ତି ସଲମାନଙ୍କୁ ଧମକ ଦେଇ ୨ କୋଟି ଟଙ୍କା ମାଗିଥିଲା। ୨୦୨୪ ରେ ଦୁଇ ଜଣ ଅଜଣା ବ୍ୟକ୍ତି ଜାଲ୍ ପରିଚୟପତ୍ର ବ୍ୟବହାର କରି ଖାନଙ୍କ ପାନଭେଲ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ୨୦୨୩ ରେ ବି ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ସଲମାନଙ୍କୁ ଧମକପୂର୍ଣ୍ଣ ଇମେଲ୍ ଦେଇଥିଲା। …