ଆଜି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଶେଷ ମ୍ୟାଚ୍ । କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଖେଳିବେ ବଟଲର୍ ବାହିନୀ । ଅପରାହ୍ନ ୧ଟା ୩୦ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜକୁ ୨-୦ରେ ଆଗୁଆ କବଜା କରିଛି ଭାରତ ।
ଆଜି ଦୃଢ଼ ମନୋବଳ ସହ ପଡଆକୁ ଓହ୍ଲାଇବ ରୋହିତ ବାହିନୀ । ଦୁଇ ଦଳର ଏକଦିବସୀୟ ମ୍ୟାଚରେ ଇଂଲଣ୍ଡ ଉପରେ ଭାରତର ପଲା ଭାରି ରହିଛି । ବାରବାଟୀରେ ଖେଳାଯାଇଥିବା ମ୍ୟାଚରେ ବଡସ୍କୋର କରିଥିଲେ ରୋହିତ ଶର୍ମା । ଆଜି ବି ହିଟମ୍ୟାନଙ୍କ ବ୍ୟାଟରୁ ବଡସ୍କୋର ଆଶା ରଖିଛନ୍ତି ଫ୍ୟାନ୍ସ । ବିରାଟଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି ଫ୍ୟାନ୍ସ ।
ଆଜିର ମ୍ୟାଚରେ ଭାରତ ଟିମରେ କିଛିଟା ପରିବର୍ତ୍ତନର ସମ୍ଭାବନା ରହିଛି । ୱିକେଟ କିପର୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ ଓ ବୋଲର୍ ଅର୍ଶଦୀପ ସିଂ ଚୂଡ଼ାନ୍ତ ଟିମରେ ସ୍ଥାନ ପାଇପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଜିର ମ୍ୟାଚରେ ବିଶ୍ରାମ ମିଳିପାରେ । ଆଗାମୀ ଚାମ୍ପିଅନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ଦଳରେ ଏଭଳି ପରୀକ୍ଷାନିରୀକ୍ଷା ହୋଇପାରେ ।