ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କ’ଣ କହିବେ ? ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ରହିଛି ।
GST ସ୍ଲାବରେ ହୋଇଥିବା ପରିବର୍ତ୍ତନ ଲାଗୁର ଠିକ୍ ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାର୍ତ୍ତା ଦେବାକୁ ଯାଉଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି, ପ୍ରଧାନମନ୍ତ୍ରୀ ମୋଦି ସମ୍ଭବତଃ GST ସୁଧାର ଉପରେ କହି ପାରନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ କେଉଁ ବିଷୟରେ କହିବେ, ସେ ନେଇ ଔପଚାରିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।
ଏହାଛଡ଼ା ଆମେରିକା H-1B Visa ନେଇ ନେଇଥିବା ନିଷ୍ପତ୍ତି ଦ୍ଵାରା ହଜାର ହଜାର ଭାରତୀୟ ପ୍ରଭାବିତ ହୋଇପାରନ୍ତି । ଏହା ଉପରେ କହି ପାରନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଟାରିଫ୍କୁ ନେଇ ଭାରତ-ଆମେରିକା ମଧ୍ୟରେ ଥିବା ତିକ୍ତତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ଆଶା କରାଯାଉଛି ।
୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ଵ ନେବା ପର ଠାରୁ ସରକାରଙ୍କ ବଡ଼ ଘୋଷଣା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରି ଆସୁଛନ୍ତି । ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି ନୋଟ୍ ବନ୍ଦୀ ଗୋଷଣା କରିଥିଲେ ।