ସଂଚାର ବ୍ୟୁରୋ: ଯାତ୍ରା ମଞ୍ଚରେ କାଳବୈଶାଖୀର ତାଣ୍ଡବ। ଯାତ୍ରା ସିଂହବାହିନୀର ଚର୍ଚ୍ଚିତ ନାଟକର ନାମ ଥିଲା “ସବୁ ପ୍ରେମ ଗପ ଅଧାରୁ ସରେ”। ହେଲେ ପ୍ରେମ ଗପ ଆରମ୍ଭ ହେବାକୁ ଦେଇନଥିଲା କାଳବୈଶାଖୀ। ଭିଲେନ୍ ଯାତ୍ରା ମଞ୍ଚକୁ ହୁଲସ୍ତୁଲ କରିବା ଆଗରୁ ପବନ ସହିତ ବର୍ଷା ପେଣ୍ଡାଲକୁ ଦୋହଲାଇ ଦେଇଥିଲା। ମେଲୋଡି ଆରମ୍ଭ ହେଉ ହେଉ ହଠାତ୍ ଆରମ୍ଭ ହୋଇଥିଲା ପବନ। ପୁରୀ ଜିଲ୍ଲା ସତ୍ୟବାଦୀ ନିକଟ ଅଳଗୁମ୍ ରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ତୃତୀୟ ରଜନୀରେ ଦର୍ଶକ ଭାବିଥିଲେ କିଛି ସମୟରେ ବର୍ଷା ପବନ କମିଯିବା ପରେ ଆରାମରେ ଯାତ୍ରା ଦେଖିବେ। କିନ୍ତୁ ତାହା ସମ୍ଭବ ହୋଇନଥିଲା। ପବନ ଟେଣ୍ଟ ଉଡ଼ାଇ ନେବା ପରେ ଯାତ୍ରା ପେଣ୍ଡାଲକୁ କବଜା କରିଥିଲା ବର୍ଷା। ଅଣଚାଶ ପବନ ସହିତ ବର୍ଷା ଦର୍ଶକଙ୍କୁ ନାଟକ ଦେଖିବାକୁ ସୁଯୋଗ ଦେଇନଥିଲା। କଳାକାର ମଧ୍ୟ ବର୍ଷାରେ ଓଦା ହୋଇଯାଇଥିଲେ। ଯାତ୍ରା ପେଣ୍ଡାଲ ଉପରେ ଲହଡ଼ି ମାରିଥିଲା ବର୍ଷା ପାଣି। ମଞ୍ଚସ୍ଥ ହୋଇପାରିଲାନି ଯାତ୍ରା। ନିରାଶ ହୋଇ ଫେରିଲେ ଦର୍ଶକ।