ସଂଚାର ବ୍ୟୁରୋ: ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବଚ୍ ଙ୍କ ଅଡୁଆ ବଢ଼ିଲା। ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ ପାଇଁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଧବୀଙ୍କ ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ମଧ୍ୟ ଏତଲା ଦେବାକୁ ନିର୍ଦ୍ଦେଏଶ ଦେଇଛନ୍ତି ସେହି କୋର୍ଟ। ଷ୍ଟକ ମାର୍କେଟରେ ଜାଲିଆତି କରିବା ଓ ସେବିର ନିୟମ ଉଲ୍ଲଂଘନ କରିବା ଅଭିଯୋଗ ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ନିଜେ ଏହି ତଦନ୍ତର ନିରୀକ୍ଷଣ କରିବେ। ୩୦ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସେବିର ଅଧ୍ଯକ୍ଷା ଥିବା ବେଳେ ମାଧବୀ ପୁରୀ ବଚ୍ ନିୟମ ଉଲ୍ଲଂଘନ କରି ଜାଲିଆତି କରିଥିବାର ଅଭିଯୋଗ କରି ତଦନ୍ତ ପାଇଁ ଆବେଦନ କରିଥିଲେ ଜଣେ ସାମ୍ଵାଦିକ। ସେହି ପିଟିସନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରିବେ ବୋଲି ସେବି କହିଛି।
ଏହି ସଂସ୍ଥା ତରଫରୁ କୁହାଯାଇଛି, ଅଧିକାରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ନ୍ୟସ୍ତସ୍ଵାର୍ଥ ପିଟିସନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇନାହିଁ। ଏଇ ମାର୍ଚ୍ଚ ୧ ତାରିଖରେ ସେବିର ଅଧ୍ଯକ୍ଷା ଭାବେ ମାଧବୀଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ସରିଥିଲା। ଏହା ପରେ ତୁହିନକାନ୍ତ ପାଣ୍ଡେ ହୋଇଛନ୍ତି ପରବର୍ତ୍ତୀ ଅଧ୍ୟକ୍ଷ।