ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକାରୀଙ୍କୁ ଆଉ ନିସ୍ତାର ନାହିଁ। ବାଜିବ ଆଇନର ଛାଟ। ଯାତ୍ରା ପେଣ୍ଡାଲ, ଜନସାଧାରଣ ସ୍ଥାନ କିମ୍ବା କୌଣସି ପ୍ଲାଟଫର୍ମରେ ଅଶ୍ଳୀଳ ନୃତ୍ୟ କିମ୍ବା ଅଶ୍ଳୀଳ ପ୍ରଦର୍ଶନ କଲେ ବନ୍ଧା ହେବେ କଳାକାର ଓ ଆୟୋଜକ। ଅଶ୍ଳୀଳ ନୃତ୍ୟ କରି ପ୍ରଥମେ ଛତିଶଗଡରେ ୧୪ ଜଣ ବନ୍ଧା ହେଲେ। ଆଉ ଏବେ ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦନବାଟି ଗ୍ରାମରେ ଅଶ୍ଳୀଳ ନୃତ୍ୟ କରିବା ମାମଲାରେ ଦୁଇ ଜଣ ଆୟୋଜକ ଗିରଫ ହୋଇଥିବା ବେଳେ ଏବେ ଝିଲ୍ଲି ମଲ୍ଲିକ ଓରଫ ନିଶା ମହାରଣା ଫେରାର ଅଛନ୍ତି। ତେବେ ଅଶ୍ଳୀଳ ନୃତ୍ୟ ନେଇ କଣ ରହିଛି ଆଇନରେ ବ୍ୟବସ୍ଥା।
ଅନ୍ୟପଟେ ଏହି ଆଇନ ରାଜ୍ୟରେ ଏବେ କଡ଼ାକଡ଼ି ଭାବେ ପାଳନ ହେଉଛି। ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦନବାଟି ଗ୍ରାମରେ ଅଶ୍ଳୀଳ ନୃତ୍ୟ କରିବା ମାମଲାରେ କିଛି ଅନୁଷ୍ଠାନ ସହ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା। ସୁରେନ୍ଦ୍ର ନାଗ, ରାଧେଶ୍ୟାମ ମେହେର, ଶଙ୍କର ସେନାପତି ଓ ଅନ୍ୟମାନେ ଏବଂ ଯାତ୍ରା ଆଇଟମ ଗାର୍ଲ୍ ଝିଲ୍ଲି ମଲ୍ଲିକ ଓରଫ ନିଶା ମହାରଣାଙ୍କ ବିରୋଧରେ BNS ର ଦଫା ୨୯୬, ୩ (୫), ୪୯ ସହ ମହିଳା ଅଶ୍ଳୀଳ ପ୍ରଦର୍ଶନ ନିଷେଧ ଅଧିନିୟମ ୧୯୮୬ ର ଧାରା ୬ ଓ ୭ରେ ମାମଲା ରୁଜୁ କରିଛି ବଲାଙ୍ଗୀର ସଦର ଥାନା ପୋଲିସ।
ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିସ ଦୁଇ ଜଣ ଆୟୋଜକ ସୁରେନ୍ଦ୍ର ଓ ରାଧେଶ୍ୟାମଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ସେପଟେ ଗିରଫଦାରୀ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ନିଶା ମହାରଣା। ଅନ୍ୟପଟେ ରାଜ୍ୟରେ ଅଶ୍ଳୀଳ ନୃତ୍ୟକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଅଶ୍ଳୀଳ ନୃତ୍ୟକୁ ଏବେ ଆଉ ବରଦାସ୍ତ କରାଯିବ ନାହିଁ। ଏନେଇ ଥିବା ଆଇନକୁ କଡାକଡି ଭାବେ ପାଳନ କରିବା ପାଇଁ ଆଇନ ବିଶାରଦ ଦାବି କରିଛନ୍ତି

