ସଂଚାର ବ୍ୟୁରୋ: ମହାକାଶରୁ ଭାରତ ଦିଶୁଛି ଅତି ସୁନ୍ଦର। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ହିମାଳୟର ଦୃଶ୍ଯ ଅତି ଚମତ୍କାର ବୋଲି କହିଛନ୍ତି ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ଉଇଲିୟମ୍ସ। ୨୮୬ ଦିନ ମହାକାଶ ଷ୍ଟେସନରେ ଫସି ପୃଥିବୀ ଫେରିଆସିଥିବା ସୁନୀତା କହିଛନ୍ତି- ବାସ୍ତବରେ ମହାକାଶ ଷ୍ଟେସନରୁ ଭାରତର ଦୃଶ୍ୟ ଥିଲା ଚମତ୍କାର। ହିମାଳୟର ଦୃଶ୍ଯ ବି ଥିଲା ସୁନ୍ଦର। ଗୁଜରାଟ ଓ ମୁମ୍ବାଇ ଦୃଶ୍ଯ ଥିଲା ଚମତ୍କାର। ଭାରତର ପଶ୍ଚିମରେ ମାଛଧରା ଜାହାଜଠାରୁ ଆରମ୍ଭ କରି ଉତ୍ତରରେ ହିମାଳୟର ଦୃଶ୍ୟ ସେମାନେ କରିଥିଲା ଅବଲୋକନ। ଘରଠାରୁ ଦୂରରେ ରହିଥିଲେ ବି ସେମାନେ ମହାକାଶ ଷ୍ଟେସନକୁ ନିଜ ଘରର ଅନୁଭୂତି ମିଳିଥିଲା ବୋଲି କହିଛନ୍ତି ସୁନୀତା। ମହାକାଶ ଷ୍ଟେସନରୁ ଭାରତର ବର୍ଣ୍ଣାଳୀ ଥିଲା ମନୋରମ। ଛୋଟରୁ ବଡ଼ ସହରର, ରାତ୍ରୀକାଳୀନ ଦୃଶ୍ଯରେ ସେ ଥିଲେ ଅଭିଭୂତ। ଏହା ସହ ନାସାର ଆଗାମୀ ଆକ୍ସିଅମ ମିଶନ ନେଇ ବେଶ୍ ଉତ୍ସାହିତ ହୋଇଥିଲେ ୫୯ ବର୍ଷ ବୟସ୍କା ସୁନୀତା। ଏହି ମିଶନରେ ୪ଜଣ ମହାକାଶଚାରୀ ମହାକାଶ ଯିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ବାୟୁସେନା ଟେଷ୍ଟ ପାଇଲଟ ଶୁଭ୍ରାଂଶୁ ଶୁକ୍ଲା। ସେମାନେ ବି ମହାକାଶ ଯାଇ ରୋମାଞ୍ଚକର ଅନୁଭୂତି ସାଉଁଣ୍ଟିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ସୁନୀତା। ସେ ଭାରତୀୟ ମହାକାଶ କାର୍ଯ୍ଯକ୍ରମକୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଉଭୟ ସୁନୀତା ଓ ୱିଲମୋର ସ୍ବାଭାବିକ ସ୍ଥିତିକୁ ଫେରିବା ଲାଗି ବ୍ୟାପକ ଚେଷ୍ଟା ଚଳାଇଛନ୍ତି। ମାଂସପେଶୀରେ ଦୁର୍ବଳତା, ଅସ୍ଥିକ୍ଷୟ ଆଦି ସମସ୍ୟାର ମୁକାବିଲ ଲାଗି ଉଭୟେ ୪୫ ଦିନ ଧରି ନାସାର ଆଷ୍ଟ୍ରୋନଟ ଷ୍ଟ୍ରେନ୍ଥ, କଣ୍ଡିସନିଂ ଓ ରିହାବିଲେସନ କେନ୍ଦ୍ରରେ ରହିବେ ବୋଲି ସୂଚନା ମିଳିଛି।

