ସଂଚାର ବ୍ୟୁରୋ: ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ସୋନମ ରଘୁବଂଶୀ ଓ ରାଜ ଖୁସୱାହା। ମେଘାଳୟ ଶିଲଂର ଏକ କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି। ଗତ ମେ ୧୧ରେ ରାଜା ରଘୁବଂଶୀ ଓ ସୋନମଙ୍କ ମଧ୍ୟରେ ଇନ୍ଦୋରରେ ହୋଇଥିଲା ବିବାହ। ବିବାହ ପରେ ସେମାନେ ମେ ୨୦ରେ ମେଘାଳୟର ଚେରାପୁଞ୍ଜିକୁ ଯାଇଥିଲେ। ମେ ୨୩ରେ ସେମାନେ ଚେରାପୁଞ୍ଜି ଅଭିମୁଖେ ଯାଉଥିବାବେଳେ ରାଜାଙ୍କୁ ହତ୍ୟା କରିଥିଲେ ୩ ଅଭିଯୁକ୍ତ। ପରେ ରାଜା ଭଡ଼ାରେ ନେଇଥିବା ସ୍କୁଟର ପରିତ୍ୟକ୍ତ ଅବସ୍ଥାରେ ଠାବ କରାଯାଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଇନ୍ଦୋରରେ ପହଞ୍ଚିଥିଲା ସୋନମ। ସେଠାରେ ରାଜକୁ ସାକ୍ଷାତ କରିଥିଲା। ସେଠାରେ ସେମାନେ ଏକ କାରରେ ଯାଇଥିଲେ ଉତ୍ତରପ୍ରଦେଶ। ଜୁନ ୯ରେ ୟୁପି ଗାଜିପୁରର ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ ସୋନମ। ଏହି ଘଟଣାରେ ଗିରଫ ହୋଇଥିଲେ ଆକାଶ ରାଜପୁତ, ବିଶାଳ ଚୌହାନ ଓ ଆନନ୍ଦ କୁର୍ମୀ।