ସଂଚାର ବ୍ୟୁରୋ: ହନିମୁନରେ ଯାଇ ସ୍ବାମୀଙ୍କ ହତ୍ୟା କରିବା ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଠିକ୍ କୌଣସି କ୍ରାଇମ୍ ଥ୍ରିଲର ଭଳି କାହାଣୀ । ଅନେକ ରହସ୍ୟ ଓ ଟୁଇଷ୍ଟ ରହିଛି ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ । ଦିନକୁ ଦିନ ନୂଆ ଓ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । କେତେବେଳେ ବିଧବା ହୋଇ ନିଜ ପ୍ରେମିକକୁ ବିବାହ କରିବା କଥା ତା ଆଉ କେତେବେଳେ ଚାରିଜଣ ଅଭିଯୁକ୍ତ ମିଶି ରାଜାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା କଥା । ତେବେ ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ରହସ୍ୟ ପଦାକୁ ଆସିଛି । ବିବାହ ପୂର୍ବରୁ ହିଁ ସୋନମ ବିଧବା ହେବାକୁ ଯୋଜନା କରିଥିଲା । ପ୍ରେମିକ ସହିତ ମିଶି ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ବାହାଘରର ମାତ୍ର ୫ ଦିନରେ ଷଡ଼ଯନ୍ତ୍ର ରଚିଥିଲା ସୋନମ । ଏକଥା ସୋନମ ଏବଂ ରାଜଙ୍କ ଚାଟରୁ ଜଣାପଡିଛି ।
ରାଜା ରଘୁବଂଶୀ ଏବଂ ସୋନମଙ୍କ ବିବାହ ୧୧ ମେ’ରେ ହୋଇଥିଲା । ସବୁକିଛି ସ୍ବାଭାବିକ ଲାଗୁଥିବା ବେଳେ ୧୬ ମେ’ରେ ସୋନମ ତାଙ୍କ ପ୍ରେମିକ ରାଜ୍ କୁଶୱାହ ସହିତ ମିଶି ରାଜାଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲା । ବିବାହ ପରେ ସୋନମର ନିକଟତର ହେଉଥିଲେ ସ୍ବାମୀ ରାଜା । ଯାହା ସୋନମକୁ ପସନ୍ଦ ନଥିଲା । ତେଣୁ ବିବାହ ପରେ ସୋନମ ରାଜାଙ୍କ ଠାରୁ ଦୂରେଇ ରହୁଥିଲା । ସୋନମ ଏବଂ ରାଜା ରଘୁବଂଶୀ ଚେରାପୁଞ୍ଜିର ଏକ ହୋମଷ୍ଟେରେ ରହୁଥିଲେ । ଘଟଣାର ଠିକ୍ ପୂର୍ବରୁ ଅଭିଯୁକ୍ତମାନେ ସୋନମ ରହୁଥିବା ହୋମଷ୍ଟେଠାରୁ ୧ କିଲୋମିଟର ଦୂରରେ ଏକ ହୋଟେଲରେ ରହିଲେ। ସୋନମ ତାର ହୋମଷ୍ଟେର ଲୋକେସନ୍ ଅଭିଯୁକ୍ତମାନଙ୍କୁ ପଠାଇ ଦେଇଥିଲା । ମେ’ ୨୩ ତାରିଖରେ ସୋନମ ରାଜାଙ୍କୁ ଫଟୋସୁଟ୍ ବାହାନାରେ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇ ଯାଇଥିଲା । ସେଠାରେ ୩ ଜଣ ଯୁବକ ତାଙ୍କୁ ହତ୍ୟା କରିଥିଲେ ।
ପ୍ରେମିକ ରାଜ କୁଶୱାହ ସୋନମ ବାପାଙ୍କ ପାଇଁ କାମ କରୁଥିଲା । ତେବେ ପ୍ରାୟ ୫ ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ହେଲେ ସୋନମ ତାର ବାପାଙ୍କୁ ପ୍ରେମିକ ରାଜ୍ ବିଷୟରେ କହିବାକୁ ଡରୁଥିଲା । ତାକୁ ବାହା ହେବାକୁ କହିବାର ସାହସ ମଧ୍ୟ ନଥିଲା । ତେଣୁ ରାଜା ରଘୁବଂଶୀଙ୍କୁ ବାହା ହୋଇ ତାଙ୍କୁ ହତ୍ୟା କରିବା ପରେ ରାଜକୁ ବାହା ହେବା ଲାଗି ଷଡ଼ଯନ୍ତ୍ର ରଚିତଥିଲା ।
ସୋନମ ବିବାହର ୫ମ ଦିନ ରାଜକୁ କହିଥିଲା ରାଜାଙ୍କୁ ହତ୍ୟା କରିବା ପାଇଁ। ତାର କହିବା କଥା ଥିଲା କି, ଯଦି ମୁଁ ଥରେ ବିଧବା ହୋଇଯାଏ, ତେବେ ବାପା ତାଙ୍କ ବିଧବା ଝିଅକୁ ତୁମ ସହିତ ବାହା ଦେଇ ପାରିବେ। ଏହା ଶୁଣି ରାଜ କୁଶୱାହ ମଧ୍ୟ ସୋନମ କଥାରେ ରାଜି ହୋଇଗଲା । ୨୩ ମେ’ରେ ରାଜାଙ୍କୁ ହତ୍ୟା କରିବା ପରେ ସନ୍ଧ୍ୟାରେ ସୋନମ ଶିଲଂରୁ ଗୌହାଟୀ ଯାଇଥିଲା । ସେଠାରୁ ଟ୍ରେନ୍ ଧରି ବାରାଣସୀ ଦେଇ ପହଞ୍ଚି ଥିଲା ଗାଜିପୁରରେ । ମଧ୍ୟପ୍ରଦେଶ ଓ ମେଘାଳୟ ପୋଲିସ ସୂଚନା ଅନୁସାରେ ରାଜା ରଘୁବଂଶୀଙ୍କ ହତ୍ୟା ତାଙ୍କ ସ୍ତ୍ରୀ ସୋନମ ହିଁ କରିଛନ୍ତି ।
ଅଭିଯୁକ୍ତ ପ୍ରେମିକ ରାଜ୍ କୁଶୱାହକୁ ଅଧିକ ତଦନ୍ତ ପାଇଁ ମେଘାଳୟ ପୋଲିସ ଇନ୍ଦୋର ବିମାନ ବନ୍ଦରକୁ ନେଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ସେଠାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା । ଠିକ୍ ସେହି ସମୟରେ ଜଣେ ବ୍ୟକ୍ତି ରାଜକୁ ଏକ ବ୍ରହ୍ମ ଚାପୁଡ଼ା ମାରିଥିଲେ । ଏହି ସମସ୍ତ ଘଟଣା ପୋଲିସ ଏବଂ ଗଣମାଧ୍ୟମ ଉପସ୍ଥିତିରେ ହିଁ ଘଟିଥିବା ଖବର ମିଳୁଛି । ସେହି ଭିଡିଓ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଅନ୍ୟପଟେ ରାଜା ରଘୁବଂଶୀଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଆସିଛି । ଏହି ରିପୋର୍ଟରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାର ପରିଲକ୍ଷିତ ହୋଇଛି । ଯାହା କୁହାଯାଉଛି, ଫଟୋସୁଟ୍ ବାହାନାରେ ପାହାଡ଼ ଉପରକୁ ନେଇ ସୁପାରି କିଲରଙ୍କୁ ଇସାରା କରିଥିଲା ସୋନମ୍ । ଯୋଜନା ଅନୁଯାୟୀ କିଲରମାନେ ଆଗରୁ ପର୍ଯ୍ୟଟକ ଭାବେ ସେଠଇ ବୁଲୁଥିଲେ । ସୋନମ ସେମାନଙ୍କୁ ଠିକ୍ ରାଜାଙ୍କ ପଛକୁ ରହିବାକୁ କହିଥିଲା । ନିଛାଟିଆ ଜାଗାରେ ପ୍ରଥମେ ସେମାନେ ରାଜାଙ୍କ ପଛପଟୁ ଖୁବ୍ ଜୋରରେ ଆଘାତ କରିଥିଲେ ଆଉ ଆହତ ସ୍ବାମୀକୁ ସୋନମ ପାହାଡ଼ ତଳକୁ ଠେଲି ଦେଇଥିଲା ।
ଇନ୍ଦୋର କ୍ରାଇମ୍ ବ୍ରାଞ୍ଚ କହିବା ଅନୁସାରେ ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ଚାରି ଅଭିଯୁକ୍ତ ହତ୍ୟାରେ ସେମାନଙ୍କର ସମ୍ପୃକ୍ତିକୁ ସ୍ୱୀକାର କରିଛନ୍ତି । ଅଭିଯୁକ୍ତମାନେ ହତ୍ୟା ଏବଂ ମୃତଦେହକୁ ଏକ ନାଳରେ ଫିଙ୍ଗି ଦେଇଥିବା କଥା ବି ମାନିଛନ୍ତି । ଏହି ଘଟଣା ମେଘାଳୟର ପୂର୍ବ ଖାସି ଜିଲ୍ଲାରେ ଘଟିଛି, ଯେଉଁଠାରେ ରାଜା ରଘୁବଂଶୀ ତାଙ୍କ ପତ୍ନୀଙ୍କ ସହିତ ମଧୁଚନ୍ଦ୍ରିକା କରିବାକୁ ଯାଇଥିଲେ । ଆଉ ମେ ୨୩ ତାରିଖରେ ନିଖୋଜ ହୋଇ ଯାଇଥିଲେ । ପରେ ରାଜାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ସେପଟେ ରାଜର ମାଆ ଏବଂ ଭଉଣୀ ସୁହାନିଙ୍କ କହିବା ହେଲା କି ତାଙ୍କ ଘରେ କେବେବି ସୋନମ ନାଁ ସେମାନେ ଶୁଣି ନାହାନ୍ତି । ସେ କେବେବି ଏଭଳି କାଣ୍ଡ କରି ନଥିବ । ଏପଟେ ପୋଲିସ୍ ଆଗରେ ରାଜ୍ କହିଛି ଯେ ସେ ରାଜାଙ୍କ ହତ୍ୟା କରିବାକୁ ଚାହୁଁ ନଥିଲା ଏବଂ ସୁପାରି କିଲରଙ୍କୁ ବି ମନା କରି ଦେଇଥିଲା । ତେବେ ସୋନମ ମେଘାଳକୁ ଟିକେଟ୍ କାଟି ସାରିଥିବାରୁ ସେମାନଙ୍କୁ ବାଧ୍ୟ କରିଥିଲା ଏବଂ ରାଜି ନହୋବାରୁ ୧୫ ଲକ୍ଷ ଟଙ୍କା ଦେବାକୁ କହିଥିଲା । ପଇସା ଲୋଭରେ ସେମାନେ ରାଜି ହୋଇ ଯାଇଥିଲେ ।
ତେବେ ବର୍ତ୍ତମାନ ସାରା ଦେଶରେ ଗୋଟିଏ ପ୍ରଶ୍ନ, କାହିଁକି ରାଜକୁ ଭଲପାଇ ରାଜାଙ୍କୁ ବିବାହ କଲେ ସୋନମ? ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସୋନମଙ୍କୁ ୟୁଜର୍ସ ଥୁ ଥୁ କରୁଛନ୍ତି । ସେପଟେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ରାଜାଙ୍କ ମା ପ୍ରତିକ୍ରିୟା ରଖିଛନ୍ତି । ଏପରି ଯୋଜନାବଦ୍ଧ ହତ୍ୟାକାଣ୍ଡରେ ଲୋକମାନେ ଅଭିଯୁକ୍ତଙ୍କ ପାଇଁ କଠୋରତମ ଦଣ୍ଡ ଦାବି କରୁଛନ୍ତି । ରାଜ୍ କୁ ପାଇବା ପାଇଁ ରାଜାଙ୍କୁ ମାରି ଦେଲା ସୋନମ୍ । ଆଉ ସୂଚନା ଅନୁସାରେ ସୁପାରି କିଲରଙ୍କୁ ରାଜାଙ୍କ ପର୍ସରୁ ହିଁ ହତ୍ୟା ବାବଦରେ ଟଙ୍କା ଦେଇଥିଲା ।