ସଂଚାର ବ୍ୟୁରୋ: ଲାଟିନ ଭିତରେ ନାଗ ସାପ। ତାର ଜାଲିରେ ଫସି ଟେକିଲା ଫଣା। ୪ ଫୁଟର ନାଗ ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ। ଭୁବନେଶ୍ୱର ଓୟୁଏଟିରେ କୃଷି ମହାବିଦ୍ୟାଳୟର ଗୋଦାବରୀଶ ଛାତ୍ରାବାସ ଲାଟିନରୁ ନାଗ ସାପ ଉଦ୍ଧାର ହୋଇଛି। ଜଣେ ଛାତ୍ର ପରିସ୍ରା ପାଇଁ ଯିବାବେଳେ ଏକ ସାପ ପାଣି ନଳା ପାଖରେ ଥିବା ଜାଲି ଭିତରେ ମୁଣ୍ଡ ଭର୍ତ୍ତି କରିଥିବା ଦେଖି ଚିତ୍କାର କରିଥିଲେ। ଚିତ୍କାର ଶୁଣି ହଷ୍ଟେଲର ଅନ୍ୟ ଛାତ୍ର ମଧ୍ୟ ଚାଲିଆସିଥିଲେ। ଏନେଇ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେବା ପରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପ୍ରାୟ ୪ ଫୁଟ ଲମ୍ବ ନାଗ ସାପକୁ ଷ୍ଟିଲ ଜାଲିରେ ମୁଣ୍ଡ ଫସି ଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ମେଟାଲ କଟର ସାହାଯ୍ୟରେ ଷ୍ଟିଲ ଜାଲିକୁ କାଟିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଛେଣୀ ମାର୍ତୁଲ ବ୍ୟବହାର କରି ଜାଲି ଟିକୁ କାଟିବା ପରେ ସାପଟି ମୁକ୍ତ ହୋଇଥିଲା । ସାପଟିର ଫଣାରେ ସାମାନ୍ୟ କ୍ଷତ ହୋଇଥିଲା। କ୍ଷତ ସ୍ଥାନରେ ବେଟାଡିନ୍ ଲଗାଇବା ପରେ ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।