ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ପକ୍ଷରୁ ପ୍ରତି ୪ ବର୍ଷରେ ହେଉଥିବା ସର୍ବଭାରତୀୟ ବାଘଗଣନା ଆସନ୍ତାବର୍ଷ ୨୦୨୬ରେ ହେବାକୁ ଯାଉଛି। ଏଥିପାଇଁ ଶିମିପାଳ ବ୍ୟାଘ୍ର ସଂରକ୍ଷଣ (ଏସ୍ଟିଆର୍) ପ୍ରକଳ୍ପ ପକ୍ଷରୁ ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଇଛି। ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞ ସଦସ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ୬ମାସ ଧରି ଚାଲିବାକୁ ଥିବା ଏହି ଗଣନା ନିମନ୍ତେ ବନଖଣ୍ଡ ଅଧିକାରୀ, ଅତିରିକ୍ତ ବନଖଣ୍ଡ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ତାଲିମ, କ୍ଷେତ୍ର ଅଭ୍ୟାସ ଓ ତଥ୍ୟ ସଂଗ୍ରହ ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଛି।
ଚଳିତ ବର୍ଷ ବର୍ଷାଋତୁ ପରେ ଅକ୍ଟୋବରରୁ ବାଘ ଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ଡିସେମ୍ୱରରୁ କ୍ୟାମେରା ମାଧ୍ୟମରେ ବାଘ ଗଣନା କରାଯାଇ ୨୦୨୬ ମାର୍ଚ୍ଚରେ ଶେଷ ହେବ। ସମସ୍ତ ତଥ୍ୟ ଏନ୍ଟିସିଏକୁ ପଠାଇବା ପରେ ୨୦୨୭ରେ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି।
ଗଣନା କାର୍ଯ୍ୟ ୪ଟି ପର୍ଯ୍ୟାୟରେ ହେବ। ପ୍ରଥମେ କାର୍ଣ୍ଣିଭାଲ ସାଇନ ସର୍ଭେରେ ଉଭୟ ତୃଣଭୋଜି ଏବଂ ମାଂସାସୀ ପ୍ରାଣୀଙ୍କ ଗତବିଧି ଓ ଚଳପ୍ରଚଳ କରୁଥିବା ସ୍ଥାନକୁ ଚିହ୍ନଟ କରାଯାଇ ରେକର୍ଡଭୁକ୍ତ କରାଯିବ। ଏହି କାମ ବର୍ଷା ଋତୁରେ ଶେଷ ହେବା ପରେ ଡିସେମ୍ୱରରେ ଟ୍ରାପ୍ ଓ ଫ୍ଲାସ କ୍ୟାମେରା ମାଧ୍ୟମରେ ବାଘ ସଂଖ୍ୟା, ସେମାନଙ୍କ ବାସସ୍ଥାନ ଓ ସ୍ୱାସ୍ଥ୍ୟ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଏହା ବାଘ ସଂଖ୍ୟାର ସ୍ଥିତି ଜାଣିବାରେ ସହାୟକ ହେବ।
ଏହାକୁ ନେଇ ବାରିପଦା ବନ ମଣ୍ଡଳ ଅଧୀନରେ ଥିବା ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡ ସମେତ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ, ବାଲେଶ୍ୱର ବନଖଣ୍ଡ ଓ କେନ୍ଦୁଝର ବନଖଣ୍ଡର ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ୍ ଏପ୍ରିଲ ଓ ମେ’ ମାସରେ ତାଲିମ୍ ଦିଆଯିବ। ବାଘ ଗଣନା ଯେପରି ତ୍ରୁଟିଶୂନ୍ୟ ହେବ, ତାହା ଉପରେ ଗୁରୁତ୍ବାରୋପ କରାଯାଇଛି। ସେମାନେ ବାଘର ପାଦଚିହ୍ନ, ଆମ୍ପୁଡା ଦାଗ ଓ ମଳମୂତ୍ରର ନମୁନା ସଂଗ୍ରହ କରି ଓୟୁଏଟିକୁ ପଠାଇ ବାଘ ଗଣତି କରିବେ।