ସଂଚାର ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ଜମି ପଜେସନ ମାଫିଆ । ଜଣେ ମହିଳାଙ୍କୁ ଡ଼ରାଇ ଜୋର ଜବରଦସ୍ତ ଘର ଅକ୍ତିଆର କରିବାକୁ ଉଦ୍ୟମ ବେଳେ ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୁଲିସ । ଗିରଫ ୩ ଅଭିଯୁକ୍ତ ହେଲେ ମାନସ ସାହୁ, ନିରଞ୍ଜନ ରାଉତ, ଜଗଦୀଶ ପାଟଶାଣୀ। ଇନ୍ଫୋସିଟି ଥାନା ନିକଟସ୍ଥ କିଟ୍ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବରଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୃର୍ବୃତ୍ତ । ଜେସିବି ଲଗାଇ ଘର ଗେଟ ପାଚେରୀ ଭାଙ୍ଗିଥିଲେ ଦୁର୍ବୃତ୍ତ। ପାଚେରୀ ଭାଙ୍ଗିବା ସହ ଜବରଦସ୍ତ ଟଙ୍କା ନେବା ସହ ଧମକ ମଧ୍ୟ ଦେଇଥିଲେ। ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ ମହିଳା ଜଣଙ୍କ। ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ ଏମାନେ ମୃତ ବ୍ୟକ୍ତିଙ୍କ ନାମରେ ପାୱାର ଅଫ୍ ଆଟର୍ଣ୍ଣି ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କ ସହ ଏଗ୍ରୀମେଣ୍ଟ କରି ଜମି ବିକୁଥିଲେ। କେହି ପ୍ରତିବନ୍ଧକ ଦେଲେ ସେମାନଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିବାକୁ ଧମକ ଦେଉଥିଲେ। ଏଭଳି ଘଟଣା କୌଣସି ଲୋକଙ୍କ ସହ ଘଟିଲେ ତୁରନ୍ତ ନିକଟସ୍ଥ ଥାନାରେ ଏତଲା ଦେବାକୁ କହିଛନ୍ତି ପୋଲିସ ଡିସିପି ।