ୟୁକ୍ରେନ୍ ଟାର୍ଗେଟ୍ରେ ଥିଲା ପୁଟିନଙ୍କ ହେଲିକପ୍ଟର । ପୁଟିନଙ୍କ ହେଲିକପ୍ଟର ଉପରକୁ ଲଗାତାର ଡ୍ରୋନ୍ ମାଡ କରିଥିଲା ୟୁକ୍ରେନ୍ । ସବୁ ଡ୍ରୋନକୁ ନଷ୍ଟ କରିବା ସହ ୟୁକ୍ରେନକୁ ଏବେ କଡା ଜବାବ ଦେଇଛି ଋଷ । ଋଷର ବାୟୁ ପ୍ରତିରକ୍ଷା ବିଭାଗ କମାଣ୍ଡର ଏପରି ଦାବି କରିଛନ୍ତି ।
ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷ ଧରି ଚାଲିଛି । ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ଏହି ସମୟରେ, ମେ’ ୨୦ ତାରିଖରେ ୟୁକ୍ରେନ ଋଷ ଉପରେ କରିଥିବା ଡ୍ରୋନ ଆକ୍ରମଣ ବିଷୟରେ ଖବର ଆସିଛି । ସେହି ଆକ୍ରମଣରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରାଯାଇଥିଲା । ଋଷ ସାମରିକ କମାଣ୍ଡର ଏହା ପ୍ରକାଶ କରିଛନ୍ତି ।
ଋଷିଆର ବାୟୁ ପ୍ରତିରକ୍ଷା ବିଭାଗର କମାଣ୍ଡର ୟୁରି ଡାସକିନ୍ କହିଛନ୍ତି, ୟୁକ୍ରେନ୍ ଗତ ୨୦ ତାରିଖରେ ରାଷ୍ଟ୍ରପତି ପୁଟିନ୍ କ୍ରୁସ୍କ ଓବ୍ଲାଷ୍ଟ ଗସ୍ତ କରିବା ସମୟରେ ତାଙ୍କ ହେଲିକପ୍ଟରକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଥିଲା । କିନ୍ତୁ ଏହି ଆକ୍ରମଣକୁ ପଣ୍ଡ କରାଯାଇଥିଲା ।
ସେ ଆହୁରି କହିଛନ୍ତି ଯେ ଗୋଟିଏ ପଟେ ଆମେ ୟୁକ୍ରେନର ଡ୍ରୋନ୍ ଆକ୍ରମଣର ଜବାବ ଦେଇଛୁ ଏବଂ ଅନ୍ୟପଟେ ଆମେ ରାଷ୍ଟ୍ରପତି ପୁଟିନଙ୍କ ହେଲିକପ୍ଟରର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିଛୁ । ତେବେ, ଋଷର ଏହି ଦାବି ଉପରେ ୟୁକ୍ରେନରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ମଇ ୨୦ ତାରିଖରେ କ’ଣ ଘଟିଥିଲା?
ଋଷ ରାଷ୍ଟ୍ରପତି ମ’ ୨୦ ତାରିଖରେ କ୍ରୁସ୍କ ଓବ୍ଲାଷ୍ଟ ଗସ୍ତରେ ଥିଲେ । ଏହି ସମୟରେ ସେ ଏକ MI-17 ହେଲିକପ୍ଟରରେ ଥିଲେ । ତା’ପରେ ୟୁକ୍ରେନରୁ ବହୁ ସଂଖ୍ୟକ ଡ୍ରୋନ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣକୁ ଦେଖି, ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରାଯାଇଥିଲା, ଆଉ ୪୬ ରୁ ଅଧିକ ଡ୍ରୋନକୁ ଖସାଇ ଦିଆଯାଇଥିଲା ।
ଏବେ ୟୁକ୍ରେନର ଆକ୍ରମଣର ଜବାବରେ, ଋଷ ଗତକାଲି ରାତିରେ ୟୁକ୍ରେନ ଉପରେ ସବୁଠାରୁ ବଡ ଆକ୍ରମଣ କରିଛି । ଋଷ ୟୁକ୍ରେନର ଅନେକ ସହର ଉପରେ ୪୦୦ ମିସାଇଲ୍ ଏବଂ ଡ୍ରୋନ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣରେ ତିନି ଜଣ ପିଲାଙ୍କ ସମେତ ୧୩ ଜଣଙ୍କ ଜୀବନ ଯାଇଛି । ଅନେକ ଲୋକ ଆହତ ହୋଇଛନ୍ତି ।