ସଂଚାର ବ୍ୟୁରୋ: ଦିନକୁ ଦିନ ଘନୀଭୂତ ହେଉଛି କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଘଟଣା। ମାମଲାକୁ ନିଜ ଆଡୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସାରା ଦେଶବାସୀଙ୍କୁ ଦୋହଲାଇଦେଇଥିବା ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୦ ତାରିଖରେ ପ୍ରଧାନବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ଯକ୍ଷତାରେ ଗଠିତ କମିଟି ମାମଲାର ଶୁଣାଣି କରିବେ। ପୂର୍ବରୁ ଏହି ମାମଲାରେ ହସ୍ତକ୍ଷେପ କରିସାରିଛନ୍ତି କଲିକତା ହାଇକୋର୍ଟ।
ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଗତ ଅଗଷ୍ଟ ୯ ତାରିଖରେ ମେଡିକା କଲେଜରେ ଜଣେ ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ କରାଯାଇଥିଲା ହତ୍ଯା। ୩୬ ଘଣ୍ଟିଆ ସିଫ୍ଟ ଶେଷ ପରେ ଦ୍ବିତୀୟ ବର୍ଷର ପିଜି ଛାତ୍ରୀ ସେମିନାର ରୁମକୁ ଯାଇଥିଲେ। ପରେ ତାଙ୍କ ମୃତଦେହ ଠାବ ହୋଇଥିଲା। ସେପଟେ କୋଲକାତା ପୋଲିସର ଜଣେ ସ୍ବେଚ୍ଛାସେବୀ ତଥା ଅଭିଯୁକ୍ତ ସଞ୍ଜୟ ରୟକୁ ହାଇପ୍ରୋଫାଇଲ ସମ୍ପର୍କକୁ ନେଇ ଚାଲିଛି ଚର୍ଚ୍ଚା। ଆରଜି କର ହସ୍ପିଟାଲର ଆଖପାଖ ଅଂଚଳରେ ଲାଗିଛି ଧାରା ୧୪୪।
୨୪ ଅଗଷ୍ଟ ପର୍ୟ୍ୟନ୍ତ କୋଲକାତା ପୋଲିସ ପକ୍ଷରୁ ଧାରା ୧୪୪ ଜାରି ହୋଇଛି। ଦୃର୍ବୁତ୍ତ ହସ୍ପିଟାଲକୁ ଭଙ୍ଗାରୁଜା କରିବା, ଲାଗିଥିବା ସିସିଟିଭିକୁ ଭାଙ୍ଗିବା ଏବଂ ହସ୍ପିଟାଲରେ ବ୍ୟବହୃତ ସଂରଞ୍ଜାମ ଭଙ୍ଗାରୁଜା କରିବା ଘଟଣାକୁ ନେଇ ବଢିଛି ରାଜନୀତି। ତେଣେ କୋଲକାତା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଫସିଛନ୍ତି ଟିଏମସି ସାଂସଦ । ମିଛ ଖବର ପ୍ରସାର କରିବା ଅଭିଯୋଗରେ ଟିଏମସି ସାଂସଦ ଶୁଖେନ୍ଦୁ ଶେଖର ରୟଙ୍କୁ କୋଲକାତା ପୋଲିସ ନୋଟିସ ପଠାଇଛି। କୋଲକାତା ଆରଜି କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଭୁଲ୍ ତଥ୍ୟ ପୋଷ୍ଟ କରିଥିବା ଅଭିଯୋଗ କରି ଏହି ନୋଟିସ ପଠାଇଛି ପୋଲିସ।
ହତ୍ଯାକାଣ୍ଡସ୍ଥଳରେ ୩ ଦିନ ପରେ ସନ୍ଧାନୀ କୁକୁର ନେଇ ପୋଲିସ ଯାଞ୍ଚ କରିଥିଲେ ବୋଲି ପୋଷ୍ଟ କରିଥିଲେ ସାଂସଦ। ସୁଖେନ୍ଦୁ ଶେଖର ରୟଙ୍କ ଏହି ପୋଷ୍ଟକୁ ମିଛ ଖବର ବୋଲି ଦାବି କରିଛି କୋଲକାତା ପୋଲିସ। ସୁଖେନ୍ଦୁ ଆହୁରି କହିଛନ୍ତି- ସିବିଆଇ ମୁକ୍ତ ଭାବେ ଘଟଣାର ତଦନ୍ତ କରୁ। ପୂର୍ବତନ ପ୍ରିନ୍ସିପାଲ ଓ ପୋଲିସ କମିଶନରଙ୍କୁ ନିଜ ହେପାଜତରେ ରଖି ଜେରା କରୁ। ଛାତ୍ରୀଜଣକ ଆତ୍ମହତ୍ଯା କରିଥିବା ମନଗଢ଼ା ଖବର କିଏ ପ୍ରସାର କରିଥିଲେ ବୋଲି କହିଛନ୍ତି ସୁଖେନ୍ଦୁ। ସେପଟେ ବିଜେପିର ଲକେଟ ଚାଟାର୍ଜୀ ଓ ଦୁଇ ଜଣ ଡାକ୍ତରଙ୍କୁ ବି ନୋଟିସ ପଠାଇଛି କୋଲକାତା ପୋଲିସ। ତେଣେ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସିନେତାରକା ଓ କ୍ରୀଡାବିତ।