ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦିଅ । ଓଡ଼ିଶା ରାଜସ୍ଵ ଅମଲା ସଂଘକୁ ଅପିଲ୍ କଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ସମୂହ ଛୁଟିରୁ ଓହରି ଆସିବାକୁ ଅପିଲ୍ କରିଛନ୍ତି ମନ୍ତ୍ରୀ । ନହେଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ । କାମ ନ କଲେ ଅମଲାଙ୍କ ଦରମା ବନ୍ଦ କରାଯିବ ବୋଲି କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଅମଲା ସଂଘର ଦାବିପତ୍ର ନେଇ ମୁଁ ଓ ଆମ ବିଭାଗ ସେମାନଙ୍କ ସହ ଆଲୋଚନା କରିଛୁ । କ୍ୟାଡର ପୁନର୍ଗଠନ ରାଜସ୍ଵ ବିଭାଗ କରି ନାହିଁ, ତାହା ସାଧାରଣ ପ୍ରଶାସନ ବିଭାଗ କରିଛି । ରାଜସ୍ଵ ବିଭାଗ ଟିପ୍ପଣୀ ସହ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଛୁ । ଶେଷ ନିଷ୍ପତ୍ତି ସାଧାରଣ ପ୍ରଶାସନ ବିଭାଗ ନେବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି, ଅମଲାଙ୍କ ଆନ୍ଦୋଳନ ଫଳରେ ଓଡ଼ିଶାବାସୀ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି ।
ତେଣୁ ଅମଲାଙ୍କ ସମୂହ ଛୁଟି ଆବେଦନ ବାତିଲ୍ କରାଯିବ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ପଠା ଯାଇଛି । କାମ ନ କଲେ ଦରମା ବନ୍ଦ ନୀତି ସରକାରଙ୍କର ପୂର୍ବରୁ ରହିଛି । ଛୁଟିରେ ଗଲେ ଦରମା ବନ୍ଦ କରି ଦିଆଯିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅପିଲ୍ ମଧ୍ୟ କରିଛନ୍ତି ।
ବିଭିନ୍ନ ଦାବି ନେଇ ଓଡ଼ିଶା ରାଜସ୍ଵ ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ସମସ୍ତ କର୍ମଚାରୀଙ୍କ ମୂଳ ଦରମା ସହ ଲେବୁଲ -୯ରେ ସାମିଲ କରିବାକୁ ଦାବି କରୁଛନ୍ତି । ପୂର୍ବରୁ ମଧ୍ୟ ୯ ଦଫା ଦାବି ନେଇ ଅମଲା ସଂଘ ଆନ୍ଦୋଳନ କରିଥିଲା । ସେତେବେଳେ ସରକାର ଗୋଟିଏ ଦାବି ମାନି ନେଇଥିବା ବେଳେ ପୁଣି ଥରେ ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇଛି ।

