ରେଖା ଗୁପ୍ତା ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ ହେଲା ନାଁ ଘୋଷଣା । ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ସିଏମ ସସପେନ୍ସ ଉପରୁ ହଟିଲା ପରଦା । ରାମଲୀଳା ମୈଦାନରେ ହେବ ନୂଆ ସରକାରର ଶପଥ ଗ୍ରହଣ ସମାରୋହ । ଶପଥ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଖା ଗୁପ୍ତା ପ୍ରଥମଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନ ପାଇଛନ୍ତି । ଏହା ସହିତ ସେ ହେବେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ।
ଆସନ୍ତାକାଲି ନୂଆଦିଲ୍ଲୀର ରାମଲୀଲା ମଇଦାନରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଏଥିସହ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେବେ । ଏଥିପାଇଁ ଭବ୍ୟ ଆୟୋଜନ କରାଯାଉଛି । ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ଦିବସ ସମାରୋହ ଢାଞ୍ଚାରେ ପ୍ରସ୍ତୁତ ହୋଇଛି ମଂଚ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଠାଙ୍କୁ ମଧ୍ୟ ନିମନ୍ତ୍ତିତ ଅତିଥି ତାଲିକାରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇପାରନ୍ତି । ଅତିଥି ତାଲିକାରେ ୨୫ରୁ ୩୦ ହଜାର ଲୋକ ବସିବା ଭଳି ବ୍ୟବସ୍ଥା କରାଯାଇଛି । ନୂଆଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସହିତ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ ।
ଦିନ ୧୧ଟାରେ ଶପଥ ଗ୍ରହଣ ସମାରୋହ ହେବ । ଉପରାଜ୍ୟ ପାଳ ଭି.କେ. ସକ୍ସସେନା ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ତିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ । ନୂଆ ରଂଗ, ରୂପ ଓ ସୁଶାସନର ପ୍ରତିଶ୍ରୁତି ରକ୍ଷା କରିବ ବିଜେପି ସରକାର । ଦେଶର ରାଜଧାନୀପରି ବିକାଶ ରାସ୍ତାରେ ଦିଲ୍ଲୀ ଆଗେଇବ ବୋଲି ବିଜେପି ନେତା ଅଜୟ ଆଲୋକ କହିଛନ୍ତି ।