ସଂଚାର ବ୍ୟୁରୋ: ପୁଣି ଆସୁଛି ଆଉଏକ ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏବେ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରି ଭାଗରେ ଏହା ସକ୍ରିୟ ରହିଛି । କାଲି ପର୍ଯ୍ୟନ୍ତ ଏହା ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ୨୪ ଘଂଟା ଭିତରେ ଲଘୁଚାପର ରୂପ ନେବ । ପ୍ରଭାବରେ କାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, ବାଲେଶ୍ଵର, ମୟୂରଭଂଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀରକୁ ସତର୍କତା ଜାରି ହୋଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୧ ତାରିଖ ଯାଏଁ ବର୍ଷାର ପରିମାଣ ବଢିବ। ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାରେ ଆକସ୍ମିକ ବନ୍ୟାର ସ୍ଥିତି ଉପୁଜିପାରେ। ତଳିଆ ଅଞ୍ଚଳରେ ପାଣି ଜମିବା ପରି ସ୍ଥିତି ଉପୁଜିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ମହାନଦୀ ଫୁଲିବା ସମ୍ଭାବନା ରହିଛି ।