ସଂଚାର ବ୍ୟୁରୋ: ରେଳ ଲାଇନକୁ ନେଇ ବଢିଲା ବାଦବିବାଦ । ମୁହାଁମୁହିଁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ପୂର୍ବତନ ସାଂସଦ ତଥା ବିଜେଡି ନେତା ରମେଶ ମାଝୀ । ବିଜେପି ସାଂସଦ ବଳଭଦ୍ରଙ୍କୁ ଟାର୍ଗେଟ କରିଛନ୍ତି ରମେଶ । ଜୁନାଗଡ଼ ଓ ନବରଙ୍ଗପୁର ରେଳ ପ୍ରକଳ୍ପ ହେଲେ ପ୍ରସ୍ତାବିତ ରେଳ ଲାଇନ ଧର୍ମଗଡ଼ ସହରର ୭ କିଲୋମିଟର ମଧ୍ଯରେ ଷ୍ଟେସନ ସ୍ଥାପିତ ହେବ ଓ ଏହାକୁ ନବରଙ୍ଗପୁରକୁ ସଂଯୋଗ କରାଯିବ ବୋଲି ରାଣ ଖାଇଛନ୍ତି ସାଂସଦ ବଳଭଦ୍ର ମାଝୀ ।
ଯାହାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ନେତା ରମେଶ ମାଝୀ । ସାଂସଦ ଧର୍ମଗଡ଼ ପାଇଁ ଏତେ ବ୍ଯାକୁଳ ଯଦି ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ, ଡାବୁଗାଁକୁ କଣ ପାଇଁ ଅଣଦେଖା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ରମେଶ । ଯଦି ଜୁନାଗଡ଼ ରେଳ ଲାଇନ ଧର୍ମଗଡ ପର୍ଯ୍ୟନ୍ତ ଅଣାଯାଇ ପାରୁଛି ତାହେଲେ ତାକୁ ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ଡାବୁଗାଁ ଦେଇ ନବରଙ୍ଗପୁରକୁ ସଂଯୋଗ କରାଯାଉ ବୋଲି ରମେଶ ଦାବି କରିଛନ୍ତି ।
ଯଦି ଉମରକୋଟ ଦେଇ ରେଳ ଲାଇନ ଯାଏ ତାହେଲେ ଭବିଷ୍ୟତରେ ତାକୁ ରାଇପୁରକୁ ମଧ୍ୟ ସଂଯୋଗ କରାଯାଇ ପାରିବ । ଉମରକୋଟ ହେଉଛି ନବରଙ୍ଗପୁର ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ପ୍ରାଣକେନ୍ଦ୍ର । ତେଣୁ ଉମରକୋଟକୁ ରେଳ ଲାଇନ ସଂଯୋଗ ପାଇଁ ରମେଶ ଦାବି କରିଛନ୍ତି ।
ଏଥିପୂର୍ବରୁ ଗତ ୨୬ ଜୁଲାଇ ୨୦୨୩ରେ ରମେଶ ମାଝି ସାଂସଦ ଥିବା ସମୟର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଜୁନାଗଡ଼ରୁ ନବରଙ୍ଗପୁରକୁ ସଂଯୋଗ କରୁଥିବା ରେଳ ଲାଇନକୁ ଜୁନାଗଡ଼, ଧର୍ମଗଡ, ଛତିଶଗଡର ଦେଓଭୋଗ, ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ, ଡାବୁଗାଁ ଓ ପାପଡ଼ାହାଣ୍ଡି ଦେଇ ନେବାପାଇଁ ଦାବି ଜଣାଇଥିଲେ। କିନ୍ତୁ ବର୍ତମାନର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ନବରଙ୍ଗପୁର ଜିଲ୍ଲାର ଏସବୁ ସ୍ଥାନକୁ ଅଣଦେଖା କରିଛନ୍ତି । ଯାହାକୁ ନେଇ ପ୍ରେସମିଟ କରି ବର୍ଷିଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ନେତା ରମେଶ ମାଝୀ ।