ସଂଚାର ବ୍ୟୁରୋ: ଲାଲବାହିନୀର ବନ୍ଧୁକ କାରଖାନା ଠାବ। ବନ୍ଧୁକ ତିଆରି ସାମଗ୍ରୀ ସହିତ ବହୁତ ବିସ୍ଫୋରକ, ଆଇଇଡି ଓ ବୋମା ଜବତ କରିଛନ୍ତି ସୁରକ୍ଷାକର୍ମୀ। ଛତିଶଗଡ଼ ସୁକମା ଜିଲ୍ଲାର ମେଟାଗୁଡ଼େମ୍ ଓ ଦୁଲେର ଗାଁ ନିକଟର ଠାବ ହୋଇଛି ଏହି ବନ୍ଧୁକ ତିଆରି କାରଖାନା। ସିଆରପିଏଫ୍ ଓ କୋବ୍ରା ବାଟାଲିୟନର କମ୍ଵିଂ ବେଳେ ସୁରକ୍ଷାକର୍ମୀ ଏହି ବନ୍ଧୁକ ତିଆରି କାରଖାନା ଓ ଅସ୍ତ୍ରାଗାରର ସନ୍ଧାନ ପାଇଥିଲେ। ୨୧ଟି ଆଇଇଡି ମିଳିଛି, ସାବୁନ କେସ୍ ରେ ଏହାକୁ ରଖାଯାଇଥିଲା। ଏହା ସହିତ ମଲଟି ବ୍ୟାରେଲ ଗ୍ରେନେଡ ଲଞ୍ଚର, ବୋମା, ଜେନେରେଟର, ବନ୍ଧୁକ ତିଆରି ସାମଗ୍ରୀ, ମେଡିକାଲ ସାମଗ୍ରୀ ମିଳିଛି। ଏତେ ଅସ୍ତ୍ରଶସ୍ତ୍ର, ସେଥିରେ ପୁଣି ବନ୍ଧୁକ ତିଆରି ସାମଗ୍ରୀ ମିଳିଥିବାରୁ ନକ୍ସଲମାନେ ନିଜେ ବନ୍ଧୁକ ତିଆରି କରୁଥିଲେ ବୋଲି ସନ୍ଦେହ କରାଯାଉଛି। ଏସବୁ ଧରା ପଡ଼ିବା ଦ୍ଵାରା ନକ୍ସଲମାନଙ୍କୁ ବଡ଼ ଝଟକା ଲାଗିଛି। ଏବେ ପୁଣି ଗତକାଲି ହିଁ ଓଡି଼ଶା ସୀମାନ୍ତ ଛତିଶଗଡ଼ର ଗରିଆ ବନ୍ଧରେ ବଡ଼ ଧରଣର ଅପରେସନ କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୧୪ ଜଣ ନକ୍ସଲ ନିହତ ହୋଇଥିଲେ। ଦୁର୍ଦ୍ଦାନ୍ତ ନକ୍ସଲ ନେତା ଚଲପତି ବି ନିହତ ହୋଇଛନ୍ତି। ଗତକାଲି ଭବାନୀପାଟଣା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି। କାଳେ ଲାଲବାହିନୀ ପ୍ରତିଶୋଧ ପରାୟଣ ହୋଇ ହିଂସାକାଣ୍ଡ ଭିଆଇ ପାରନ୍ତି, ସେଥିପାଇଁ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ପୋଲିସ ତଥା ମୁତୟନ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ ସଜାଗ ଅଛନ୍ତି।